ମହାକାଶ ପ୍ରଯୁକ୍ତି ଓ ଭାରତ : ଏକ ଅବଲୋକନ

ISRO ମହାକାଶ ପ୍ରଯୁକ୍ତି ଓ ଭାରତ : ଏକ ଅବଲୋକନ

Jul 31, 2023 - 05:09
Jul 31, 2023 - 05:11
 0  8
ମହାକାଶ ପ୍ରଯୁକ୍ତି ଓ ଭାରତ : ଏକ ଅବଲୋକନ

କେରଳର ରାଜଧାନୀ ତିରୁଅନନ୍ତପୁରମ ନିକଟରେ ଥିବା ଏକ ଛୋଟ ଗାଁ ତୁମ୍ବାରୁ ହେଉଛି ମହାକାଶ ପ୍ରଯୁକ୍ତିର ମହାସାକ୍ଷୀ  । ୧୯୬୩ ମସିହା ନଭେମ୍ବର ୨୧ରେ ଏଠାରୁ ଦେଶର ପ୍ରଥମ ରକେଟ ଉତକ୍ଷେପଣ ହୋଇଥିଲା  । ସେତେବେଳେ ଏଥିରେ ବ୍ୟବହୃତ ରକେଟ, ପେ ଲୋଡ, ରାଡାର ଓ କମ୍ପ୍ୟୁଟର ଆଦି ସବୁ ବିଦେଶରୁ ହିଁ ଆସିଥିଲା  । ସେତେବେଳେ ନିଜ ପ୍ରଯୁକ୍ତିରେ ରକେଟ ଉତକ୍ଷେପଣ କରିବା ପାଇଁ ଭାରତ ସ୍ୱୟଂସମ୍ପୂର୍ଣ୍ଣ ନଥିଲା  । କିନ୍ତୁ ଆଜି ସ୍ଥିତି ବଦଳି ଯାଇଛି  । ଇସ୍ରୋର ୫୩ ବର୍ଷର ସାଧନା ପାଇଁ ମହାକାଶ ବିଜ୍ଞାନ କ୍ଷେତ୍ରରେ ଭାରତ ସ୍ୱତନ୍ତ୍ର ପରିଚୟ ହାସଲ କରିପାରିଛି  । 


ନିକଟରେ ହାଇଦ୍ରାବାଦର ଶ୍ରୀହରିକୋଟାରୁ ଇସ୍ରୋ ଚନ୍ଦ୍ରଯାନ-୩ର ସଫଳ ଉତକ୍ଷେପଣ କରିଛି  । ଫଳରେ ଭାରତ ଏବେ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିପାରିଛି  । ମହାକାଶ ପରିବହନ ବ୍ୟବସ୍ଥା, ମହାକାଶ ଭିତ୍ତିଭୂମି, ସ୍ପେଶ୍‌ ଆପ୍ଲିକେସନ, ଗ୍ରହ ଓ ଉପଗ୍ରହ ଅଭିଯାନ ଆଦି କ୍ଷେତ୍ରରେ ଇସ୍ରୋ ବେଶ ସଫଳ ହୋଇଛି  । ୧୯୭୦ ଦଶକରେ ଇସ୍ରୋ ପ୍ରଥମେ ୩୦ କିଲୋଗ୍ରାମ ଓଜନର ସାମଗ୍ରୀକୁ ୧୨୦ କିଲୋମିଟର ଉଚ୍ଚକୁ ଉତକ୍ଷେପଣ କରିଥିଲା  । ଏହା ପରେ ଏସଏଲଭି, ଏଏସଏଲଭି ଆଦି ଭଳି ଉପଗ୍ରହ ପ୍ରେରଣକାରୀ ଯାନ ବିକଶିତ ହୋଇଥିଲା  । ତରଳ ଇନ୍ଧନ ବ୍ୟବହାରରେ ସଫଳତା ମିଳିବା ପରେ ଉଭୟ ତରଳ ଓ କଠିନ ଇନ୍ଧନ ଚାଳିତ ପ୍ରଯୁକ୍ତିର ବ୍ୟବହାର କରାଯାଇଥିଲା  । ଧିରେଧିରେ ପୁରୁଣା ଅଭିଜ୍ଞତାକୁ ସାଉଁଟି ଇସ୍ରୋ ପକ୍ଷରୁ ପିଏସଏଲଭି ଭଳି ମହାକାଶ ଯାନ ତିଆରି କରାଯାଇଥିଲା  । ଯାହାକି ପୃଥିବୀ କକ୍ଷପଥରେ ୧୭ ଶହ କିଲୋଗ୍ରାମ ଓଜନର ବସ୍ତୁ ଓ ଉପଗ୍ରହକୁ ଅବସ୍ଥାପିତ କରିବାରେ ସକ୍ଷମ  । 


ଇସ୍ରୋର ସଫଳତା ଭାରତ ସରକାରଙ୍କୁ ବି ବେଶ ଉତ୍ସାହିତ କରାଯାଇଥିଲା  । ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ଜୟ ବିଜ୍ଞାନର ନାରା ଦିଆଯାଇଥିଲା  । ଧିରେଧିରେ ଇସ୍ରୋକୁ ସରକାରଙ୍କ ସହାୟତା ବି ବଢ଼ି ବଢ଼ି ଚାଲିଲା  । ଉନ୍ନତ ମାନବସମ୍ବଳ ଓ ବୈଷୟିକ ପ୍ରଯୁକ୍ତିକୁ ବ୍ୟବହାର କରି ଇସ୍ରୋ କ୍ରାୟୋଜେନିକ ଇଞ୍ଜିନ ନିର୍ମାଣ କରି ରକେଟ ବିକଶିତ କରିଥିଲା  । ଏହି ଜିଏସଏଲଭି ଏବେ ୨ ହଜାର କେଜି ଓଜନ ବିଶିଷ୍ଟ ଉପଗ୍ରହକୁ ପୃଥିବୀ କକ୍ଷପୃଷ୍ଠରେ ଅବସ୍ଥାପିତ କରିପାରୁଛି  । 


୧୯୭୫ ମସିହା ଅପ୍ରେଲ ୧୯ରେ ଦେଶର ପ୍ରଥମ ଉପଗ୍ରହ ଆର୍ଯ୍ୟଭଟ୍ଟ ମହାକାଶକୁ ପଠାଯାଇଥିଲା  । ଏହାପରେ ଭାସ୍କର ଓ ଆପଲ ବି ମହାକାଶକୁ ଯାଇଥିଲା  । ଯାହାକି ପାଣିପାଗ ବିଜ୍ଞାନ ଓ ଯୋଗାଯୋଗ କ୍ଷେତ୍ରରେ ବେଶ ଉପଯୋଗୀ ସାବ୍ୟସ୍ତ ହୋଇଥିଲା  । ହଜାର ହଜାର ବୈଜ୍ଞାନିକମାନଙ୍କ ଦୀର୍ଘଦିନର ପ୍ରୟାସରେ ଭାରତ ଚନ୍ଦ୍ର ଓ ମଙ୍ଗଳ ଗ୍ରହକୁ ଯାନ ପଠାଇବାରେ ସଫଳ ହୋଇଛି  । ଚନ୍ଦ୍ରଯାନ-୧ ଚନ୍ଦ୍ରପୃଷ୍ଠରେ  ଜଳର ସନ୍ଧାନ କରି ବଡ଼ ସଫଳତା ହାସଲ କରିଛି  । ଚନ୍ଦ୍ରଯାନ-୨ ଓ ଚନ୍ଦ୍ରଯାନ-୩ ଭଳି ଜଟିଳ ପ୍ରୟାସ ବି କରାଯାଇଛି  । ସେହିପରି ‘ଅଷ୍ଟ୍ରୋଶତ’ ଅଭିଯାନ ଦ୍ୱାରା ଦେଶର ୫୦ ଜ୍ୟୋତିର୍ବିଦ ଗବେଷଣା ଜାରି ରଖିଛନ୍ତି  । ୯.୪ ବିଲିଅନ ଆଲୋକ ବର୍ଷର ଦୂରରେ ଥିବା ଆକାଶଗଙ୍ଗାରେ ବ୍ରହ୍ମାଣ୍ଡର ତାରକା ସୃଷ୍ଟି ଇତିହାସ ସମ୍ପର୍କରେ ସୂଚନା ମିଳିପାରୁଛି  । ଇସ୍ରୋର ମହାକାଶ ପ୍ରଯୁକ୍ତିର ସଫଳତା ଆମକୁ ବିଶ୍ୱର ମହାଶକ୍ତିରେ ପରିଣତ କରିବାରେ ସହାୟକ ହୋଇପାରିଛି  ।