ଆମ ନିର୍ବାଚନମଣ୍ଡଳୀ : ଜଟଣୀରେ ସୁରଙ୍କ ରାଜ୍
JATANI ASSEMBLY CONSTITUENCY
ସାଧାରଣ ନିର୍ବାଚନ ପାଖେଇ ଆସୁଛି । ରାଜନୀତିକ ମାହୋଲକୁ ନେଇ ଜୋରଦାର ଚର୍ଚ୍ଚା ବି ଆରମ୍ଭ ହୋଇଗଲାଣି । ଏହାକୁ ଆଖି ଆଗରେ ରଖି ଆମେ ଆରମ୍ଭ କରିଛୁ ‘ଆମ ନିର୍ବାଚନମଣ୍ଡଳୀ’ । ଏଥିରେ ଓଡ଼ିଶାର ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନ ସଂକ୍ରାନ୍ତୀୟ ତଥ୍ୟ ପ୍ରଦାନ କରାଯିବ । ଏଥର ଆମେ ଖୋର୍ଦ୍ଧା ଜିଲ୍ଲାର ଜଟଣୀ ବିଧାନସଭା ନିର୍ବାଚନମଣ୍ଡଳୀ ଉପରେ ଆଲୋକପାତ କରିବା ।
ଖୋର୍ଦ୍ଧା ବ୍ଲକର ୬ ଗ୍ରାମ ପଂଚାୟତ, ଜଟଣୀ ବ୍ଲକ, ଭୁବନେଶ୍ୱର ବ୍ଳକର ୯ ଗ୍ରାମ ପଂଚାୟତ ଓ ଜଟଣୀ ପୌର ପରିଷଦକୁ ନେଇ ଜଟଣୀ ବିଧାନସଭା ନିର୍ବାଚନମଣ୍ଡଳୀ ଗଠିତ ହୋଇଛି । ନିର୍ବାଚନ କମିଶନଙ୍କ ଆଧାରରେ ଏହି ନିର୍ବାଚନମଣ୍ଡଳୀର କ୍ରମିକ ସଂଖ୍ୟା ହେଉଛି ୧୧୫ । ୧୯୭୪ରେ ପ୍ରଥମ ଥର ପାଇଁ ଏଠାରେ ନିର୍ବାଚନ ହୋଇଥିଲା । ଉତ୍କଳ କଂଗ୍ରେସ ଟିକେଟରେ ବିଜୟୀ ହୋଇ ସତ୍ୟପ୍ରିୟ ମହାନ୍ତି ଜଟଣୀର ପ୍ରଥମ ବିଧାୟକ ହେବାର ସୌଭାଗ୍ୟ ପାଇଥିଲେ । ୧୯୭୭ରେ ଜଟଣୀ ରାଜନୀତିରେ ସୁର ରାଉତରାୟଙ୍କର ପ୍ରବେଶ ଘଟିଥିଲା । ହରେକୃଷ୍ଣ ମହତାବଙ୍କର ସେ ବେଶ ଘନିଷ୍ଠ ମଧ୍ୟ ଥିଲେ । ଏବେ ସୁର ରାଉତରାୟ ବ୍ରାଣ୍ଡ କଂଗ୍ରେସ ନେତା ଭାବେ ପରିଚିତି ହାସଲ କରିଛନ୍ତି । ତେବେ ଅନେକ ହୁଏତ ଜାଣିନଥିବେ ୧୯୭୭ରେ ଜନତା ଦଳର ବିଧାୟକ ଥିଲେ ସୁରେଶ କୁମାର ରାଉତରାୟ । କିନ୍ତୁ ପରେ ସେ ଜନତାରୁ କଂଗ୍ରେସ ନେତା ପାଲଟି ଯାଇଥିଲେ । ୧୯୮୦ ଓ ୧୯୮୫ରେ ସେ ବାଜିମାତ କରି ହାଟ୍ରିକ ବିଜୟ ହାସଲ କରିଥିଲେ ।
୧୯୯୦ରେ ସାରା ରାଜ୍ୟରେ ବିଜୁ ପଟ୍ଟନାୟକଙ୍କ ହାୱା ବହିବାରୁ ଜନତା ଦଳ ନେତା ଶରତ ପାଇକରାୟ ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ । ସେପଟେ ହାଟ୍ରିକ ବିଜୟ ପରେ ସୁର ପରାସ୍ତ ହୋଇଥିଲେ । କିନ୍ତୁ ୧୯୯୫ରେ ଶରତଙ୍କୁ ହରାଇ ଚତୁର୍ଥ ଥର ପାଇଁ ବିଧାୟକ ହୋଇଥିଲେ ସୁର ରାଉତରାୟ । ଜାନକୀ ପଟ୍ଟନାୟକଙ୍କ ସରକାରରେ ସେ ମନ୍ତ୍ରୀ ମଧ୍ୟ ଥିଲେ । ୨୦୦୦ରେ ବିଜେଡ଼ି ଓ ବିଜେପି ମେଂଟ ହୋଇଥିଲେ ବି ସୁର ବାଜିମାତ କରି ପଂଚମ ଥର ପାଇଁ ବିଧାୟକ ହୋଇଥିଲେ । ଏହା ପରେପରେ ସୁରଙ୍କର ପରାଜୟ ପର୍ବ ଆରମ୍ଭ ହୋଇଥିଲା । ୨୦୦୪ରେ ସୁରଙ୍କୁ ହରାଇ ପୁଣି ଥରେ ବିଧାନସଭା ଯାଇଥିଲେ ଶରତ ପାଇକରାୟ । ୨୦୦୯ରେ ବିଭୂତି ଭୂଷଣ ବଳବନ୍ତରାୟ ବିଧାୟକ ହୋଇଥିବାବେଳେ ୨୦୧୪ରେ ବିଧାୟକ ହୋଇଥିଲେ ଭାଗିରଥି ବଡ଼ଜେନା । ଲଗାତର ବିଜେଡ଼ି ବାଜିମାତ କରିଥିଲେବି ୨୦୧୯ରେ ଝୁଂଟି ପଡ଼ିଥିଲା । ଜଟଣୀରୁୁ ଶେଷ ଥର ପାଇଁ ନିର୍ବାଚିତ ହୋଇଥିଲେ ସୁର ରାଉତରାୟ । ୧୯୭୭, ୧୯୮୦, ୧୯୮୫, ୧୯୯୫, ୨୦୦୦ ଓ ୨୦୧୯ରେ ବିଜୟୀ ହୋଇ ସେ ଛଅଥର ବିଧାୟକ ହେବାର ଗୌରବ ହାସଲ କରିଛନ୍ତି । ଆଉ ସେ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିସାରିଛନ୍ତି । ଜଟଣୀର ରାଜନୀତିକୁ ଅନୁଶୀଳନ କଲେ ସୁରଙ୍କ ପାଇଁ ଏଠାରେ କଂଗ୍ରେସ ଦବଦବା ଜାହିର କରି ଆସୁଛି ।
ରାମଚଣ୍ଡୀ ପ୍ରସାଦ ରଣସିଂହ, ଗଡ଼ମାଣତୀର, ଖୋରଧା