ଇତିହାସ ପୃଷ୍ଠାରେ କପିଳେନ୍ଦ୍ର ଦେବଙ୍କ ରାଜ୍ୟ ଜୟ

KapilendraDeva, Odisha History ଇତିହାସ ପୃଷ୍ଠାରେ କପିଳେନ୍ଦ୍ର ଦେବଙ୍କ ରାଜ୍ୟ ଜୟ

Aug 2, 2023 - 07:56
 0  50
ଇତିହାସ ପୃଷ୍ଠାରେ କପିଳେନ୍ଦ୍ର ଦେବଙ୍କ ରାଜ୍ୟ ଜୟ

ଗଙ୍ଗବଂଶର ଶେଷରାଜାଙ୍କର ପୁଅ ନଥିଲେ  । ସେତେବେଳେ ସେନାପତି ଥାଆନ୍ତି କପିଳେନ୍ଦ୍ର ସାମନ୍ତରାୟ  । ବୀର ଓ ରାଷ୍ଟ୍ରନୀତିଜ୍ଞ ହୋଇଥିବାରୁ ରାଜାଙ୍କ ମୃତ୍ୟୁ ପରେ କପିଳେନ୍ଦ୍ର ଦେବଙ୍କୁ ସିଂହାସନରେ ଅଭିଷିକ୍ତ କରାଯାଇଥିଲା  । କପିଳେନ୍ଦ୍ର ଦେବ ହେଉଛନ୍ତି ସୂର୍ଯ୍ୟବଂଶର ପ୍ରତିଷ୍ଠାତା  । ତେବେ ତାଙ୍କର ରାଜ ସିଂହାସନ ଆରୋହଣକୁ ନେଇ ଏକ କିମ୍ବଦନ୍ତୀ ବି ରହିଛି  । ମାଦଳାପାଞ୍ଜି ଅନୁଯାୟୀ, ୧୪୩୫ରେ ସେ ସିଂହାସନ ଆରୋହଣ କରିଥିଲେ  । ତାଙ୍କ ନାମରେ କପିଳେନ୍ଦ୍ର ଅବ୍ଦ ମଧ୍ୟ ଚାଲିଆସୁଛି  । 

କପିଳେନ୍ଦ୍ର ଦେବ ସିଂହାସନ ଆରୋହଣ ଘଟଣାକୁ ସେତେବେଳେ କେତେକ ସାମନ୍ତ ରାଜା ଗ୍ରହଣ କରିପାରିନଥିଲେ  । ସେମାନେ ଜୋରଦାର ବିଦ୍ରୋହ ଆରମ୍ଭ କରିଦେଇଥିଲେ  । କିନ୍ତୁ ଯୋଦ୍ଧା କପିଳେନ୍ଦ୍ର ବିଦ୍ରୋହୀଙ୍କୁ ଦୃଢ଼ ହସ୍ତରେ ଦମନ କରିଥିଲେ  ।  ଏଠାରୁ ହିଁ ତାଙ୍କର ବିଜୟ ଯାତ୍ରା ଆରମ୍ଭ ହୋଇଥିଲା  । ଦକ୍ଷିଣ ଦିଗକୁ ଯାତ୍ରା କରି ସେ ଛତ୍ରଗଡ଼ରେ ଶିବିର କରିଥିଲେ  । ସେଠାରେ ଖେମଣ୍ଡୀ ରାଜାଙ୍କୁ ପରାସ୍ତ କରିବା ପରେ ମହେନ୍ଦ୍ର ପର୍ବତ ଆଡ଼କୁ ଅଗ୍ରସର ହୋଇଥିଲେ  । ସମସ୍ତ ବିଦ୍ରୋହୀଙ୍କୁ ଦମନ କରି ସେ ନିଜର ଆଧିପତ୍ୟ ବିସ୍ତାର କରିଥିଲେ  ।  ସେହି ସମୟରେ ବଙ୍ଗ ସୁଲତାନ ନାସିରୁଦ୍ଦିନ ମହମ୍ମଦ ଉତ୍କଳର ଉତ୍ତର ଭାଗକୁ ଦଖଲରେ ରଖିଥିଲେ  । ସେମାନଙ୍କୁ ଯୁଦ୍ଧରେ ପରାସ୍ତ କରିବା ପରେ କପିଳେନ୍ଦ୍ର ଦେବ ଦାକ୍ଷିଣାତ୍ୟ ଅଭିଯାନରେ ବାହାରିଥିଲେ  । ତେବେ କେଉଁ ମସିହାରେ ସେ ଯୁଦ୍ଧ କରିଥିଲେ ସେନେଇ ଭିନ୍ନଭିନ୍ନ ତଥ୍ୟ ଦେଖିବାକୁ ମିଳେ  । କିନ୍ତୁ ସେ ଯାହାହେଉନା କାହିଁକି, ବିଦ୍ରୋହ ଦମନ ସହ ରାଜ୍ୟ ବିସ୍ତାର ପାଇଁ କପିଳେନ୍ଦ୍ର ଦେବ ଚନ୍ଦ୍ରଗିରି, ଉଦୟଗିରି, ବିଜୟନଗର ଆଦି ରାଜ୍ୟ ଦଖଲ କରିଥିଲେ  । ଦାକ୍ଷିଣାତ୍ୟରେ ତାଙ୍କର ପ୍ରଭାବ ବଢ଼ିବାରୁ ଅନ୍ୟ ଛୋଟ ଛୋଟ ରାଜ୍ୟମାନେ ଆତ୍ମସମର୍ପଣ କରିଥିଲେ  । ସେହିପରି ଦକ୍ଷିଣର ଅନେକ ରାଜ୍ୟ ବାହମନୀ ସୁଲତାନ ହୁମାୟୁନ ସାହଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ହୋଇପଡ଼ିଥିଲେ  । ଫଳରେ ଦକ୍ଷିଣର ରାଜ୍ୟଗୁଡ଼ିକ କପିଳେନ୍ଦ୍ରଙ୍କୁ ସହାୟତା କରିବାରୁ ସେ ସୁଲତାନଙ୍କୁ ପରାସ୍ତ କରି ରାଜ୍ୟ ବିସ୍ତାର କରିଥିଲେ  । ପରେ ହୁମାୟୁନ ସାହାଙ୍କ ପୁଅ ମହମ୍ମଦ ନିଜାମ କପିଳେନ୍ଦ୍ରଙ୍କ ସହ ସନ୍ଧି କରିବାକୁ ବାଧ୍ୟ ହୋଇଥିଲେ  । ପରେପରେ ସେ ତୈଲଙ୍ଗ ରାଜ୍ୟ ଦଖଲ କରିବା ସହ ସେଠାରେ ମଙ୍ଗଳ ରାୟଙ୍କୁ ଅଭିଷିକ୍ତ କରାଇଥିଲେ  । ଧିରେଧିରେ ଦକ୍ଷିଣର ଅନେକ ରାଜ୍ୟ କପିଳେନ୍ଦ୍ରଙ୍କର ବଶତା ସ୍ୱୀକାର କରିଥିଲେ  । ସେତୁବନ୍ଧ ରାମେଶ୍ୱର ପର୍ଯ୍ୟନ୍ତ ସେ ବିଜୟ ବୈଜୟନ୍ତୀ ଉଡ଼ାଇଥିଲେ  । ଯୁଦ୍ଧ ପରେ ଯୁଦ୍ଧ କରି ସେ କ୍ଲାନ୍ତ ହେବା ସହ ବୃଦ୍ଧାବସ୍ଥା ବି ଆସି ଯାଇଥିଲା  । ଯୁଦ୍ଧବିଜୟରୁ ନିଜ ରାଜ୍ୟକୁ ଫେରି ଆସିବା ବାଟରେ ୧୪୬୫ ଖ୍ରୀଷ୍ଟାବ୍ଦରେ କୃଷ୍ଣାନଦୀ କୂଳରେ କପିଳେନ୍ଦ୍ରଙ୍କର ମହାପ୍ରୟାଣ ଘଟିଥିଲା  ।  

କପିଳେନ୍ଦ୍ର ଖାଲିଯେ, ଯୁଦ୍ଧ ଅଭିଯାନରେ ମାତିଥିଲେ ତାହା ନୁହେଁ, ବରଂ ସେ ଶାନ୍ତିପ୍ରିୟ ଦୃଢ଼ ଶାସନ ପ୍ରତିଷ୍ଠା କରିଥିଲେ  । ବ୍ରାହ୍ମଣମାନଙ୍କୁ ସେ ଚୌକିଦାରୀ କରରୁ ମୁକ୍ତ କରିଥିଲେ  । ଲୁଣ ଓ କଉଡ଼ିରୁ ମଧ୍ୟ କର ଉଠାଇ ଦେଇଥିଲେ  । ସେହିପରି ଅନେକ ମନ୍ଦିର ନିର୍ମାଣ କରିବା ସହ ରାଜ୍ୟରେ ଶାନ୍ତି ଓ ସହାବସ୍ଥାନ ପ୍ରତିଷ୍ଠା କରିବାରେ ସଫଳ ହୋଇଥିଲେ  । ଓଡ଼ିଶା ଇତିହାସରେ କପିଳେନ୍ଦ୍ର ଦେବଙ୍କ ଶାସନକୁ ସୁବର୍ଣ୍ଣ ଯୁଗ ବୋଲି ମଧ୍ୟ କୁହାଯାଇଥାଏ  ।

ରାମଚଣ୍ଡୀ ପ୍ରସାଦ ରଣସିଂହ, ଗଡ଼ମାଣତୀର, ଖୋରଧା