ମା’ ଶାରଳା, କିମ୍ବଦନ୍ତୀ ଓ ଯାତ୍ରା

maa sarala

Nov 16, 2023 - 09:41
 0  10

ଝଙ୍କଡ଼ରେ ଶାରଳା, କାକଟପୁରରେ ମଙ୍ଗଳା, କୋଣାର୍କରେ ରାମଚଣ୍ଡୀ, ପୁରୀରେ ବିମଳା, ବାଙ୍କୀରେ ଚର୍ଚ୍ଚିକା, ଯାଜପୁରରେ ବିରଜା, ତାଳଚେରରେ ହିଙ୍ଗୁଳା ଓ ଭୁବନେଶ୍ୱରର ଗଉରୀ ହିଁ ଅଷ୍ଟ ତନ୍ତ୍ରପୀଠର ଅଷ୍ଟ ଶକ୍ତି  । ମା’ ଶାରଳାଙ୍କ ମହିମା ଅପାର  । ମା’ଙ୍କ କରୁଣାରୁ ଶାରଳା ଦାସ ମହାଭାରତ ଓ ଚଣ୍ଡୀ ପୁରାଣ ରଚନା କରିଛନ୍ତି ବୋଲି ବିଶ୍ୱାସ ରହିଛି  । 


ଝଙ୍କଡ଼ ଓ କନକପୁରକୁ ନେଇ ଅନେକ କଥା ପୁସ୍ତକରେ ଉଲ୍ଳେଖ ରହିଛି  । ସାରଳା ମହାଭାରତରେ ଝଙ୍କଡକୁ ଜଙ୍ଖର ବା ଖଙ୍କେରପୁର ବୋଲି କୁହାଯାଇଛି  । ରତ୍ନଗିରି ଦକ୍ଷିଣକୁ ସିଧା ମାର୍ଗରେ ପ୍ରାୟ ୨୦ ମାଇଲ ଦୂରରେ ରହିଛି ତିର୍ତ୍ତୋଲ ବନ୍ଦର  । ଏହାକୁ ହୁଏନଂସା ଚେଲିତୋଲା ବୋଲି ବର୍ଣ୍ଣନା କରିଛନ୍ତି  । ଚେଲିତୋଲର ବର୍ତ୍ତମାନ ନାମ ତିରିତୋଲ ବା ତିର୍ତ୍ତୋଲ  । ସାରଳା ଦାସଙ୍କ ଅନୁଯାୟୀ, ଦେବୀ ସାରୋଳ ଗ୍ରାମରେ ଅବସ୍ଥିତ  । ଝଙ୍କଡ଼ ପ୍ରଗଣାରେ ବଡ଼ ସାରୋଳ ଓ ସାନ ସାରୋଳ ନାମରେ ଦୁଇଟି ଗ୍ରାମ ଅଛି  । ସେହି ଗାଁ ନିକଟରେ ପୂର୍ବରୁ ସାରଳାଙ୍କ ମନ୍ଦିର ଥିଲା  । ମାତ୍ର ୧୬୮୬ରେ ମୁସଲମାନ ବର୍ଗୀ ଏହାକୁ ଲୁଣ୍ଠନ କରିଥିଲେ  । ସେହି ମନ୍ଦିରର କିଛି ଦୂରରେ ଏକ ମସଜିଦ ନିର୍ମିତ ହୋଇଥିଲା  । ଏବେ ସେଠାରେ ଏକ ନଣ୍ଡା ଦେଉଳ ରହିଛି  । ବିଷୁବ ସଂକ୍ରାନ୍ତିରେ ସାରଳା ଠାକୁରାଣୀଙ୍କ ଝାମୁଯାତ୍ରା ସେହି ନଣ୍ଡା ଦେଉଳ ପାଖରେ ହୋଇଥାଏ  । କେତେକ କବିଙ୍କ ମତରେ ନଣ୍ଡା ଦେଉଳ ନିକଟରେ ଥିବା ଗୁପ୍ତମାଣିକାରେ ଠାକୁରାଣୀ ସାତରାତି ବୁଡ଼ି ରହିଥିଲେ  । ତା’ପରେ ତେନ୍ତୁଳିପଦା ଚାଲିଯାଇଥିଲେ  ।  ତେନ୍ତୁଳିପଦା ଠାରେ ବିଲ ସାରଳା ନାମରେ ଦେବୀଙ୍କ ମନ୍ଦିର ରହିଛି  । ଏବେ କନକପୁରରେ ଥିବା ମନ୍ଦିର ୧୩୨୧ ସାଲ ଆଷାଢ ମାସରେ ନିର୍ମାଣ କରାଯାଇଥିଲା  । 


ଚୈତ୍ରମାସରେ ପାଳିତ ହେଉଥିବା ଝାମୁଯାତ୍ରା ଉତ୍ସବ ଓ ଘଟପାଟୁଆ ନୃତ୍ୟ ମା’ଙ୍କ ପ୍ରସିଦ୍ଧ ପର୍ବ  । ସାରଳାଙ୍କ ଘଟପାଟୁଆ ନୃତ୍ୟ ପ୍ରାଚୀନ ବୋଲି ସ୍ୱୀକାର କରାଯାଏ  । ନଣ୍ଡା ଦେଉଳ ନିକଟରେ ମା’ଙ୍କ ବିମାନ ପହଁଚିବା ପରେ ଚରଖା ପଡ଼ିଆରେ ପାଟୁଆମାନେ ପୂର୍ବାମୁଖା ହୋଇ ଦଣ୍ଡାୟମାନ ହୋଇଥା’ନ୍ତି  । ପୂର୍ବରୁ ପଡ଼ିଆରେ ପାଟୁଆମାନେ ପିଠିରେ ଆଙ୍କୁଶ ଫୋଡ଼ି ବାଉଁଶ ଦ୍ୱାରା ଶୂନ୍ୟରେ ଚକ୍ରି ପରି ଘୁରୁଥିଲେ  । ମାତ୍ର ଗୋଟିଏ ବର୍ଷ ଜଣେ ପାଟୁଆଙ୍କର ମୃତ୍ୟୁ ହୋଇଯିବାରୁ ଏହାକୁ ବନ୍ଦ ରଖାଯାଇଥିଲା  । ମା’ଙ୍କ ସହ ଆସିଥିବା ଘଟ ଓ ବେତ ପାଟୁଆମାନେ ଅଗ୍ନିରେ ଚାଲିଥା’ନ୍ତି  । ମୀନ ସଂକ୍ରାନ୍ତି ଠାରୁ ଆରମ୍ଭ ହେଉଥିବା ଏହି ଘଟ ନୃତ୍ୟ ଦୀର୍ଘ ଏକମାସ ପରେ ପଣା ସଂକ୍ରାନ୍ତି ଦିନ ଶେଷ ହୁଏ  । ମୀନ ସଂକ୍ରାନ୍ତି ଦିନ ମନ୍ଦିର ନିକଟସ୍ଥ କନକେଶ୍ୱର ମହାଦେବ ପୀଠରେ ଘଟପୂଜା ଅନୁକୂଳ ହୁଏ  । ୧୦ ଜଣ ଘଟପାଟୁଆ ମହାଦେବଙ୍କ ନିକଟରେ ନୃତ୍ୟର ଶୁଭାରମ୍ଭ କରି ସାରଳା ମନ୍ଦିରକୁ ଆସିଥା’ନ୍ତି  । ଗୋଟିଏ ବର୍ଷରେ ତିନଥର ଘଟ ନୃତ୍ୟ ହୋଇଥାଏ  । ମୀନ ସଂକ୍ରାନ୍ତି ଠାରୁ ପଣା ସଂକ୍ରାନ୍ତି ପର୍ଯ୍ୟନ୍ତ, ଏକମାସ ଧରି ଘଟପାଟୁଆମାନେ ଗାଁକୁ ଗାଁ ମଙ୍ଗଳତାଟି ନେଇଯାଇଥା’ନ୍ତି  । ଯେଉଁ ସଂକ୍ରାନ୍ତି ମଙ୍ଗଳବାର ଦିନ ପଡେ, ସେଦିନ ନିଶାର୍ଦ୍ଧରେ ଘଟ ନୃତ୍ୟ ହୋଇଥାଏ  । ଏହାକୁ ନିଶାଘଟ କୁହାଯାଏ  । ସେହିପରି ଦୋଳପୂର୍ଣ୍ଣମୀ ଦିନ ବଜାର ପଡିଆରେ ଥିବା ଦୋଳଦେବୀ ମଣ୍ଡପରେ ନୂତନ ପାଞ୍ଜି ପାଠ ହୁଏ  । 


ରାମଚଣ୍ଡୀ ପ୍ରସାଦ ରଣସିଂହ
ମାର୍ଫତ : ବଳରାମ ରଣସିଂହ
ଗଡ଼ମାଣତୀର, ଖୋର୍ଦ୍ଧା