ଯଯାତିକେଶରୀଙ୍କ ପାଇଁ ଯାଜପୁର
history of odisha
ଆଜକୁ ଅଢେ଼ଇ ହଜାର ବର୍ଷ ତଳେ ଉତ୍କଳରେ ଯଯାତି କେଶରୀ ରାଜତ୍ୱ କରୁଥିଲେ । କେହିକେହି ତାଙ୍କୁ କେଶରୀ ବଂଶର ପ୍ରତିଷ୍ଠାତା ବୋଲି କହିଥା’ନ୍ତି । କିନ୍ତୁ ବାସ୍ତବରେ କେଶରୀ ବଂଶର ପ୍ରତିଷ୍ଠାତା ଥିଲେ ଜନ୍ମେଜୟ । ସେ ୩୨ ବର୍ଷ ଧରି ରାଜତ୍ୱ କରିଥିଲେ । କଟକ ନିକଟରେ ମହାନଦୀ ଓ ବିରୂପା ନଦୀ ମଧ୍ୟରେ ଜନ୍ମଜେୟ ଚୌଦ୍ୱାର ନଗର ସ୍ଥାପନ କରିଥିଲେ । ଏହାହିଁ ତାଙ୍କର ରାଜଧାନୀ ଥିଲା ବୋଲି ଐତିହାସିକମାନେ ତଥ୍ୟ ସମ୍ବଳିତ ଯୁକ୍ତି ଉପସ୍ଥାପନ କରିଥା’ନ୍ତି ।
ଜନ୍ମଜେୟଙ୍କ ପରେ ଯଯାତି କେଶରୀ ସିଂହାସନ ଆରୋହଣ କରିଥିଲେ । ସେ ୪୬ ବର୍ଷ ଧରି ଶାସନ କରିଥିବା କୁହାଯାଏ । ବାପାଙ୍କ ଭଳି ସେ କିନ୍ତୁ ଚୌଦ୍ୱାରରେ ରହି ଶାସନ କରିନଥିଲେ । ବୈତରଣୀ ନଦୀ କୂଳରେ ସେ ନଗର ସ୍ଥାପନ କରି ତାହାକୁ ରାଜଧାନୀ କରିଥିଲେ । ତାଙ୍କ ନାମାନୁସାରେ ସେହି ସ୍ଥାନଟିର ନାମ ଏବେ ଯାଜପୁର ଭାବେ ପରିଚିତ । ବ୍ରାହ୍ମଣ ଧର୍ମ ପ୍ରତି ତାଙ୍କର ବିଶେଷ ଆଗ୍ରହ ଥିଲା । କାନ୍ୟକୁବଜରୁ ଦଶ ହଜାର ବିଶୁଦ୍ଧ ବୈଦିକ ବ୍ରାହ୍ମଣ ଅଣାଇ ସେ ବୈତରଣୀ କୂଳରେ ବଡ଼ ଯଜ୍ଞ କରିଥିଲେ । ତେବେ ସେହି ଯଜ୍ଞ ବା ଯାଗ ଯୋଗୁଁ ଏହି ସ୍ଥାନକୁ ଯାଜନଗର, ଯଜ୍ଞପୁର ଓ ଯାଜପୁର କୁହାଗଲା ବୋଲି ଅନେକ କେତେକ ଟିପ୍ପଣୀ ଦିଅନ୍ତି । ଯଜ୍ଞ ପରେ ଏହି ବ୍ରାହ୍ମଣମାନେ ଓଡ଼ିଶାରେ ହିଁ ରହିଥିଲେ । ବିଭିନ୍ନ ଶାସନରେ ସେମାନଙ୍କୁ ଅବସ୍ଥାନ କରାଇ ଜମିବାଡ଼ି ବି ଖଞ୍ଜି ଦିଆଯାଇଥିଲା । ଏହି ବ୍ରାହ୍ମଣମାନଙ୍କୁ ବୈଦିକ ବା ଶ୍ରୋତ୍ରୀୟ ବ୍ରାହ୍ମଣ ବୋଲି କୁହାଯାଏ । ବ୍ରାହ୍ମଣମାନଙ୍କ ମଧ୍ୟରେ ଏମାନଙ୍କୁ ଶ୍ରେଷ୍ଠ ଭାବେ ପରିଗଣିତ କରାଯାଏ ।
ଯାଜପୁରରେ ଯଜ୍ଞ ସରିବା ପରେ ସେଠାରେ ସେ ରାଜପ୍ରାସାଦ ନିର୍ମାଣ କରିଥିଲେ । ଏବେବି ଯଜ୍ଞକୁଣ୍ଡ, ଦଶାଶ୍ୱମେଧ ଘାଟ, ଯାଗସ୍ତମ୍ଭ, ରାଜନଅରର ସ୍ମୃତି ରହିଛି । ପ୍ରତିବର୍ଷ ସେହି ଘାଟରେ ହଜାର ହଜାର ଲୋକ ସ୍ନାନ କରିବା ସହ ତିଳତର୍ପଣ କରିଥା’ନ୍ତି । ଗୟା ଭଳି ପୂଣ୍ୟ ମିଳେ ବୋଲି କଥିତ ଅଛି । ଯଯାତିକେଶରୀଙ୍କୁ ଦ୍ୱିତୀୟ ଈନ୍ଦ୍ରଦ୍ୟୁମ୍ନ ବୋଲି ମଧ୍ୟ କୁହାଯାଏ । ପୁରୀରେ ଥିବା ମନ୍ଦିର ଭାଙ୍ଗିଯିବାରୁ ସେ ନୂଆ ମନ୍ଦିର ତୋଳିଥିଲେ । ସେହିପରି ଏବେ ଯେଉଁ ମହାପ୍ରସାଦ ଓ ପୂଜାବିଧି ଚାଲିଛି ତାହା ଯଯାତିଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ।
କେଶରୀ ରାଜାମାନେ ଶିବ ଉପାସକ ଥିଲେ । ନନ୍ଦ ରାଜତ୍ୱ ସମୟରେ ଭୁବନେଶ୍ୱର ବେଶ ଖ୍ୟାତି ଅର୍ଜନ କରିଥିଲା । ଏହା ମଧ୍ୟ ଥିଲା ଜୈନ ଓ ବୌଦ୍ଧ ଧର୍ମର ଅନ୍ୟତମ କେନ୍ଦ୍ର । ତେଣୁ ଜଗନ୍ନାଥ ମନ୍ଦିର ନିର୍ମାଣ ସରିବା ପରେ ଭୁବନେଶ୍ୱରରେ ସେ ଲିଙ୍ଗରାଜ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । କିନ୍ତୁ ମନ୍ଦିର କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ପରେ କେଶରୀ ବଂଶର ରାଜା ଲଳିତେନ୍ଦୁ କେଶରୀ ଲିଙ୍ଗରାଜ ମନ୍ଦିର କାର୍ଯ୍ୟ ଶେଷ କରିଥିଲେ । ଉତ୍କଳର ଇତିହାସରେ କେଶରୀ ବଂଶର ଶାସନ କାଳକୁ ସୁବର୍ଣ୍ଣ ଯୁଗ ବୋଲି କୁହାଯାଏ ।