ଆମ ନିର୍ବାଚନମଣ୍ଡଳୀ : ସମ୍ବଲପୁର ଲୋକସଭା

ଆମ ନିର୍ବାଚନମଣ୍ଡଳୀ : ସମ୍ବଲପୁର ଲୋକସଭା #sambalpurloksabha #sambalpurparliamene

Jun 18, 2023 - 10:59
 0  12
ଆମ ନିର୍ବାଚନମଣ୍ଡଳୀ : ସମ୍ବଲପୁର ଲୋକସଭା

ସାଧାରଣ ନିର୍ବାଚନ ପାଖେଇ ଆସୁଛି  । ରାଜନୀତିକ ମାହୋଲକୁ ନେଇ ଜୋରଦାର ଚର୍ଚ୍ଚା ବି ଆରମ୍ଭ ହୋଇଗଲାଣି  । ଏହାକୁ ଆଖି ଆଗରେ ରଖି ଆମେ ଆରମ୍ଭ କରିଛୁ ‘ଆମ ନିର୍ବାଚନମଣ୍ଡଳୀ’ । ଏଥିରେ ଓଡ଼ିଶାର ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନ ସଂକ୍ରାନ୍ତୀୟ ତଥ୍ୟର ଅବତାରଣା କରାଯିବ  । ଏଥର ଆମେ ସମ୍ବଲପୁର ଲୋକସଭା ନିର୍ବାଚନମଣ୍ଡଳୀ ଉପରେ ଆଲୋଚନା କରିବା  ।

କୁଚିଣ୍ଡା, ରେଙ୍ଗାଲୀ, ସମ୍ବଲପୁର, ରେଢ଼ାଖୋଲ, ଦେବଗଡ଼, ଛେଣ୍ଡିପଦା ଓ ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀକୁ ନେଇ ସମ୍ବଲପୁର ଲୋକସଭା ନିର୍ବାଚନମଣ୍ଡଳୀ ଗଠିତ ହୋଇଛି  । ୧୯୫୨ ମସିହାରେ ଗଣତନ୍ତ୍ର ପରିଷଦର ନଟବର ପାଣ୍ଡେ ସମ୍ବଲପୁରର ପ୍ରଥମ ସାଂସଦ ହୋଇଥିଲେ  । ୧୯୫୭ରେ ସାଂସଦ ହୋଇଥିଲେ ବନମାଳୀ କୁମ୍ଭାର ଓ ଶ୍ରଦ୍ଧାକର ସୁପକାର  । ୧୯୬୨ରେ ପ୍ରଜା ସୋସାଲିଷ୍ଟ ପାର୍ଟିର ନେତା କିଷେନ ପଟ୍ଟନାୟକ ବାଜିମାତ କରିଥିଲେ  । ୧୯୬୭ରେ କଂଗ୍ରେସରୁ ନିର୍ବାଚନ ଲଢ଼ି ବିଜୟ ହାସଲ କରିଥିଲେ ଶ୍ରଦ୍ଧାକର ସୁପକାର  । କିନ୍ତୁ ପରବର୍ତୀ ନିର୍ବାଚନରେ କଂଗ୍ରେସ ନେତା ବନମାଳୀ ବାବୁ ବିଜୟ ଲାଭ କରିଥିଲେ  । ୧୯୭୭ ବେଳକୁ ରାଜନୀତି ନୂଆ ମୋଡ଼ ନେଇଥିଲା  । ସେହି ନିର୍ବାଚନରେ ଜନତା ପାର୍ଟିରୁ ଜିତିଥିଲେ ଗଣନାଥ ପ୍ରଧାନ  । ୧୯୮୦      ଓ ୧୯୯୦ ଦଶକରେ ସମ୍ବଲପୁର ରାଜନୀତିରେ ବେଶ ଦବଦବା ଜାହିର କରିଥିଲେ କୃପାସିନ୍ଧୁ ଭୋଇ  । ପଶ୍ଚିମ ଓଡ଼ିଶାର ଟାଣୁଆ କଂଗ୍ରେସ ନେତା କୃପାସିନ୍ଧୁ ୧୯୮୦, ୧୯୮୪, ୧୯୯୧ ଓ ୧୯୯୬ରେ ବିଜୟ ଲାଭ କରିଥିଲେ  । ସମ୍ବଲପୁରରୁ ଚାରିଥର ସାଂସଦ ହୋଇ ସେ ରେକଡର଼୍ ସୃଷ୍ଟି କରିଛନ୍ତି  । ୧୯୮୯ରେ ଜନତା ଦଳ ନେତା ଭବାନୀ ଶଙ୍କର ହୋତା ସାଂସଦ ହେବାର ସୁଯୋଗ ପାଇଥିଲେ  ।  ୧୯୯୮ ବେଳକୁ ସାରା ରାଜ୍ୟରେ ବିଜୁ ଜନତା ଦଳର ଦବଦବା ଆରମ୍ଭ ହୋଇଯାଇଥିଲା  । ସମ୍ବଲପୁରରେ ବିଜେଡ଼ି ନେତା ପ୍ରସନ୍ନ ଆଚାର୍ଯ୍ୟ ନିର୍ବାଚନ ଲଢ଼ି ସାଂସଦ ହୋଇଥିଲେ  । ୧୯୯୯ ଓ ୨୦୦୪ରେ ବି ବାଜିମାତ କରିବାରେ ସଫଳ ହୋଇଥିଲେ ପ୍ରସନ୍ନ  । ସମ୍ବଲପୁର ଲୋକସଭାର ରାଜନୀତିକ ଇତିହାସରେ, ଏକମାତ୍ର ନେତା ଭାବେ ସେ ହାଟ୍ରିକ ମାରିଛନ୍ତି  । ୨୦୦୯ରେ କିନ୍ତୁ ବିଜେଡ଼ିକୁ ଶକ୍ତ ଧକ୍କା ଲାଗିଥିଲା  । ବିଜେଡ଼ି ଓ ବିଜେପି ମେଂଟ ଭାଙ୍ଗି ଯିବାରୁ ଦଳ ଏକାକୀ ଲଢ଼ିଥିଲା  । ତେବେ କଂଗ୍ରେସ ନେତା ଅମରନାଥ ପ୍ରଧାନ ବିଜେଡ଼ି ଓ ବିଜେପିକୁ ହରାଇ ବାଜିମାତ କରିଥିଲେ  । ୨୦୧୪ରେ ପୁଣି ବିଜୟ ଟ୍ରାକକୁ ଫେରିଥିଲା ବିଜୁ ଜନତା ଦଳ । ନଗେନ୍ଦ୍ର ପ୍ରଧାନ ବାଜିମାତ କରି ସାଂସଦ ହୋଇଥିଲେ  । କିନ୍ତୁ ୨୦୧୯ରେ ବିଜେଡ଼ିକୁ ପରାସ୍ତ କରିଥିଲା ବିଜେପି  । ଭାରତୀୟ ଜନତା ପାର୍ଟି ନେତା ନୀତେଶ ଗଙ୍ଗଦେବ ପ୍ରଥମ ଥର ସାଂସଦ ହେବାର ସୌଭାଗ୍ୟ ପାଇଥିଲେ  ।

ମୋଟାମୋଟି ଭାବେ ଦେଖିଲେ କଂଗ୍ରେସ ନେତା କୃପାସିନ୍ଧୁ ଭୋଇ ୪ଥର ସାଂସଦ ହୋଇଛନ୍ତି  । ଅପରପକ୍ଷରେ ବିଜେଡ଼ିର ପ୍ରସନ୍ନ ଆଚାର୍ଯ୍ୟ ହାଟ୍ରିକ ମାରିଛନ୍ତି  । ଏଯାବତ ହୋଇଥିବା ନିର୍ବାଚନରେ କଂଗ୍ରେସ ସର୍ବାଧିକ ୭ ଥର ବିଜୟ ଲାଭ କରିଛି  ।