ଆମ ନିର୍ବାଚନମଣ୍ଡଳୀ : ଜଟଣୀରେ ସୁରଙ୍କ ରାଜ୍‌

Jatani Assembly Constituency ଆମ ନିର୍ବାଚନମଣ୍ଡଳୀ : ଜଟଣୀରେ ସୁରଙ୍କ ରାଜ୍‌

Jul 12, 2023 - 06:38
 0  32
ଆମ ନିର୍ବାଚନମଣ୍ଡଳୀ : ଜଟଣୀରେ ସୁରଙ୍କ ରାଜ୍‌

ସାଧାରଣ ନିର୍ବାଚନ ପାଖେଇ ଆସୁଛି   । ରାଜନୀତିକ ମାହୋଲକୁ ନେଇ ଜୋରଦାର ଚର୍ଚ୍ଚା ବି ଆରମ୍ଭ ହୋଇଗଲାଣି  । ଏହାକୁ ଆଖି ଆଗରେ ରଖି ଆମେ ଆରମ୍ଭ କରିଛୁ ‘ଆମ ନିର୍ବାଚନମଣ୍ଡଳୀ’   । ଏଥିରେ ଓଡ଼ିଶାର ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନ ସଂକ୍ରାନ୍ତୀୟ ତଥ୍ୟ ପ୍ରଦାନ କରାଯିବ  । ଏଥର ଆମେ ଖୋର୍ଦ୍ଧା ଜିଲ୍ଲାର ଜଟଣୀ ବିଧାନସଭା ନିର୍ବାଚନମଣ୍ଡଳୀ ଉପରେ ଆଲୋକପାତ କରିବା  ।


ଖୋର୍ଦ୍ଧା ବ୍ଲକର ୬ ଗ୍ରାମ ପଂଚାୟତ, ଜଟଣୀ ବ୍ଲକ, ଭୁବନେଶ୍ୱର ବ୍ଳକର ୯ ଗ୍ରାମ ପଂଚାୟତ ଓ ଜଟଣୀ ପୌର ପରିଷଦକୁ ନେଇ ଜଟଣୀ ବିଧାନସଭା ନିର୍ବାଚନମଣ୍ଡଳୀ ଗଠିତ ହୋଇଛି   । ନିର୍ବାଚନ କମିଶନଙ୍କ ଆଧାରରେ ଏହି ନିର୍ବାଚନମଣ୍ଡଳୀର କ୍ରମିକ ସଂଖ୍ୟା ହେଉଛି ୧୧୫   । ୧୯୭୪ରେ ପ୍ରଥମ ଥର ପାଇଁ ଏଠାରେ ନିର୍ବାଚନ ହୋଇଥିଲା  । ଉତ୍କଳ କଂଗ୍ରେସ ଟିକେଟରେ ବିଜୟୀ ହୋଇ ସତ୍ୟପ୍ରିୟ ମହାନ୍ତି ଜଟଣୀର ପ୍ରଥମ ବିଧାୟକ ହେବାର ସୌଭାଗ୍ୟ ପାଇଥିଲେ   । ୧୯୭୭ରେ ଜଟଣୀ ରାଜନୀତିରେ ସୁର ରାଉତରାୟଙ୍କର ପ୍ରବେଶ ଘଟିଥିଲା   । ହରେକୃଷ୍ଣ ମହତାବଙ୍କର ସେ ବେଶ ଘନିଷ୍ଠ ମଧ୍ୟ ଥିଲେ   । ଏବେ ସୁର ରାଉତରାୟ ବ୍ରାଣ୍ଡ କଂଗ୍ରେସ ନେତା ଭାବେ ପରିଚିତି ହାସଲ କରିଛନ୍ତି   । ତେବେ ଅନେକ ହୁଏତ ଜାଣିନଥିବେ ୧୯୭୭ରେ ଜନତା ଦଳର ବିଧାୟକ ଥିଲେ ସୁରେଶ କୁମାର ରାଉତରାୟ   । କିନ୍ତୁ ପରେ ସେ ଜନତାରୁ କଂଗ୍ରେସ ନେତା ପାଲଟି ଯାଇଥିଲେ  । ୧୯୮୦ ଓ ୧୯୮୫ରେ ସେ ବାଜିମାତ କରି ହାଟ୍ରିକ ବିଜୟ ହାସଲ କରିଥିଲେ   । 

୧୯୯୦ରେ ସାରା ରାଜ୍ୟରେ ବିଜୁ ପଟ୍ଟନାୟକଙ୍କ ହାୱା ବହିବାରୁ ଜନତା ଦଳ ନେତା ଶରତ ପାଇକରାୟ ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ  । ସେପଟେ ହାଟ୍ରିକ ବିଜୟ ପରେ ସୁର ପରାସ୍ତ ହୋଇଥିଲେ   । କିନ୍ତୁ ୧୯୯୫ରେ ଶରତଙ୍କୁ ହରାଇ ଚତୁର୍ଥ ଥର ପାଇଁ ବିଧାୟକ ହୋଇଥିଲେ ସୁର ରାଉତରାୟ  । ଜାନକୀ ପଟ୍ଟନାୟକଙ୍କ ସରକାରରେ ସେ ମନ୍ତ୍ରୀ ମଧ୍ୟ ଥିଲେ   । ୨୦୦୦ରେ ବିଜେଡ଼ି ଓ ବିଜେପି ମେଂଟ ହୋଇଥିଲେ ବି ସୁର ବାଜିମାତ କରି ପଂଚମ ଥର ପାଇଁ ବିଧାୟକ ହୋଇଥିଲେ   । ଏହା ପରେପରେ ସୁରଙ୍କର ପରାଜୟ ପର୍ବ ଆରମ୍ଭ ହୋଇଥିଲା  । ୨୦୦୪ରେ ସୁରଙ୍କୁ ହରାଇ ପୁଣି ଥରେ ବିଧାନସଭା ଯାଇଥିଲେ ଶରତ ପାଇକରାୟ  । ୨୦୦୯ରେ ବିଭୂତି ଭୂଷଣ ବଳବନ୍ତରାୟ ବିଧାୟକ ହୋଇଥିବାବେଳେ ୨୦୧୪ରେ ବିଧାୟକ ହୋଇଥିଲେ ଭାଗିରଥି ବଡ଼ଜେନା   । ଲଗାତର ବିଜେଡ଼ି ବାଜିମାତ କରିଥିଲେବି ୨୦୧୯ରେ ଝୁଂଟି ପଡ଼ିଥିଲା  । ଜଟଣୀରୁୁ ଶେଷ ଥର ପାଇଁ ନିର୍ବାଚିତ ହୋଇଥିଲେ ସୁର ରାଉତରାୟ   । ୧୯୭୭, ୧୯୮୦, ୧୯୮୫, ୧୯୯୫, ୨୦୦୦ ଓ ୨୦୧୯ରେ ବିଜୟୀ ହୋଇ ସେ ଛଅଥର ବିଧାୟକ ହେବାର ଗୌରବ ହାସଲ କରିଛନ୍ତି  । ଆଉ ସେ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିସାରିଛନ୍ତି   । ଜଟଣୀର ରାଜନୀତିକୁ ଅନୁଶୀଳନ କଲେ ସୁରଙ୍କ ପାଇଁ ଏଠାରେ କଂଗ୍ରେସ ଦବଦବା ଜାହିର କରି ଆସୁଛି   ।

ରାମଚଣ୍ଡୀ ପ୍ରସାଦ ରଣସିଂହ, ଗଡ଼ମାଣତୀର, ଖୋରଧା