ଜନଜାତି ନୃତ୍ୟ ଓ ପରମ୍ପରାରେ ଛଉ ଓ ଝୁମର
chhaudance Jhumar dance odishaculture
ସେମାନେ ଗରିବ ହୋଇପାରନ୍ତି, ହେଲେ ମନୋରଞ୍ଜନରେ ବେଶ ଧନୀ । ସେମାନେ ବିକାଶର ଧାରାରେ ସାମିଲ ହୋଇନାହାନ୍ତି ସତ, କିନ୍ତୁ ନୃତ୍ୟ, ସଂଗୀତର ହେଉଛନ୍ତି ମହାନ ପୂଜାରୀ । ଆମେ କହୁଛୁ ଆଦିବାସୀଙ୍କ କଥା, ଯେଉଁମାନେ ହେଉଛନ୍ତି ପ୍ରକୃତରେ ଅମୃତର ସନ୍ତାନ । ସେମାନଙ୍କ ପରମ୍ପରା, ନୃତ୍ୟ ଓ ଗୀତ ନିଶ୍ଚିତ ଭାବେ ସମସ୍ତଙ୍କୁ ବିମୋହିତ କରିଦିଏ ।
ମେଳା ମହୋତ୍ସବ ବା ଅନ୍ୟ ପର୍ବପର୍ବାଣୀରେ ଛଉନୃତ୍ୟ ହୋଇଥାଏ । ବିଭିନ୍ନ କାଳ୍ପନିକ, ପୌରାଣିକ ତଥା ଲୋକ କାହାଣୀ ଏଥିରେ ହୁଏ । ଆଗରୁ ଆଦିବାସୀମାନେ ରାଜାଙ୍କ ସହ ଯୁଦ୍ଧକୁ ଯାଉଥିଲେ । ଯୁଦ୍ଧ ଯାତ୍ରାର ଅନୁଭବକୁ ସେମାନେ ନାଚ, ଗୀତ ମାଧ୍ୟମରେ ଦର୍ଶାଇବାକୁ ଚେଷ୍ଟା କରିଥା’ନ୍ତି । ପାଇକ ଯୁଦ୍ଧ ନୃତ୍ୟ ଓ ଜନଜାତି ନୃତ୍ୟର ଏକ ସମନ୍ୱିତ ରୂପ ହେଉଛି ଛଉ ନୃତ୍ୟ । ମୟୂରଭଞ୍ଜ ଓ ଝାରଖଣ୍ଡର ଷଢେ଼ଇକଳାରୁ ଛଉନୃତ୍ୟର ସୃଷ୍ଟିବୋଲି ଅନୁମାନ କରାଯାଏ ।
ଧମସା, ମାଦଲ, ଚଡଚଡି ଓ ନାଗରା ହେଉଛି ଛଉନୃତ୍ୟର ପ୍ରମୁଖ ବାଦ୍ୟଯନ୍ତ୍ର । ଏହି ଯୁଦ୍ଧ ବାଦ୍ୟ ଦର୍ଶକଙ୍କ ଦେହରେ ଶିହରଣ ସୃଷ୍ଟି କରିଦିଏ । ଚଇତ୍ର ମାସ ଅବସରରେ ଏହି ଛଉ ନାଚ ବେଶୀ ପରିବେଷଣ କରାଯାଇଥାଏ । ବିଭିନ୍ନ ଅଂଚଳରେ ଭିନ୍ନ ଭିନ୍ନ ଢଙ୍ଗରେ ଛଉ ନୃତ୍ୟ ହୋଇଥାଏ । ଷଢେ଼ଇକଳା ଅଂଚଳରେ ମୁଖା ପିନ୍ଧା ଯାଇ ନାଚ ପରିବେଷଣ କରାଯାଇଥାଏ । କିନ୍ତୁ ମୟୂରଭଞ୍ଜ ଓ କେନ୍ଦୁଝର ଆଦି ଅଂଚଳରେ ମୁକ୍ତ, ଗମ୍ଭୀର ଓ ଗୀତି ପୂର୍ଣ୍ଣ ଭାବାବେଗ ପରିଲକ୍ଷିତ ହୋଇଥାଏ ।
ଛଉ ଭଳି ଚାଙ୍ଗୁ ନାଚ ବି ବେଶ ଆକର୍ଷଣୀୟ । ଚାଙ୍ଗୁ ହେଉଛି ଏକ ଗୋଲାକାର ବୃହତ ବାଦ୍ୟ ଯନ୍ତ୍ର । ଯାହାର ଚାରିପାଖରେ ଗିନି ରହିଥାଏ । ମୁଖ୍ୟତଃ ଛେଳି ଚମଡ଼ାରେ ଏହା ନିର୍ମାଣ କରାଯାଇଥାଏ । ଗଣ୍ଡ, ଜୁଆଙ୍ଗ, ବାଥୁଡ଼ି, ଭୂୟାଁ, ସାଉଁତିମାନଙ୍କର ଏହା ହେଉଛି ପ୍ରିୟ ବାଦ୍ୟ । ଚାଙ୍ଗୁର ତାଳେତାଳେ ଝିଅମାନେ ନାଚିଥା’ନ୍ତି । ଗୋଟିଏ ଧାଡ଼ିରେ ଝିଅମାନେ ଅଣ୍ଟାକୁ ଅଣ୍ଟାରେ ହାତ ଛନ୍ଦାଛନ୍ଦି ହୋଇ ଆଗ ପଛ ହୋଇ ନାଚନ୍ତି । ବାଥୁଡ଼ି ସମ୍ପ୍ରଦାୟର ଲୋକମାନେ ଧୋତି, ଗଞ୍ଜି, ନାଲି ଗାମୁଛାକୁ ଅଣ୍ଟାରେ ଭିଡ଼ି ଚାଙ୍ଗୁ ବଜାଇ ନାଚିଥା’ନ୍ତି । ନାଚ ସମୟରେ ସେମାନଙ୍କ ହାତଗୁଡ଼ିକ ଭୂଇଁକୁ ଛୁଇଁଲା ପରି ଝୁଲିଝୁଲି ରହିଥାଏ ।
ଉତ୍ତର ଓଡ଼ିଶାର ପ୍ରମୁଖ ଲୋକ ସଂଗୀତ ହେଉଛି ଝୁମର । କେନ୍ଦୁଝରରେ ବାସ କରୁଥିବା କୁଡୁମୀ ସମ୍ପ୍ରଦାୟର ଲୋକମାନେ ଏହି ଝୁମର ଲୋକ ସଂଗୀତକୁ ଗୁରୁତ୍ୱ ଦେଇଥା’ନ୍ତି । ପ୍ରତିଟି ଖୁସିର ମୁହୂର୍ତ୍ତରେ ସେମାନେ ଝୁମରର ତାଳେ ତାଳେ ନିଜକୁ ହଜାଇ ଦିଅନ୍ତି । ଝୁମିବା ଅର୍ଥରେ ଝୁମର ସଂଗୀତର ସୃଷ୍ଟି । ତେଣୁ ମନ ପ୍ରଫୁଲ୍ଳ ନଥିଲେ ଝୁମରକୁ ଅନୁଭବ କରିହେବ ନାହିଁ । ଝୁମର ପାଇଁ ଧମସା, ମାଦଲ, ବଂଶୀ, ଟୁଇଲା ଆଦି ବାଦ୍ୟ ଯନ୍ତ୍ରର ଆବଶ୍ୟକତା ରହିଥାଏ । ଏକ ସୁମଧୁର ଗୀତକୁ ସାମୂହିକ ପାଳି ଧରି ବାଦ୍ୟ ଯନ୍ତ୍ରର ତାଳେ ତାଳେ ନାଚିବା ବେଶ ଆକର୍ଷଣୀୟ ହୋଇଥାଏ । ଏହି ଗୀତଗୁଡ଼ିକ ବିଶେଷକରି ଶୃଙ୍ଗାର ରସାତ୍ମକ ହୋଇଥାଏ । ଅନ୍ୟ କେତେକ ଗୀତରେ ବୀର ରସ ଶୁଣିବାକୁ ମିଳିଥାଏ । ଏହାର ଗୀତଗୁଡ଼ିକ ଏତେ ଚମତ୍କାରଯେ, ଶ୍ରୋତାମାନଙ୍କ ମନ ମୋହି ନେଇଥାଏ ।
ପ୍ରାକୃତିକ ପରିବେଶରେ ରହୁଥିବା ଆଦିବାସୀମାନେ ସଂଜ ନଇଁଲେ ନୃତ୍ୟ ଗୀତରେ ବିଭୋର ହୋଇଯାଆନ୍ତି । ଛୁଆଠାରୁ ବୁଢ଼ା ଯାଏଁ ସମସ୍ତେ ନୃତ୍ୟ ଓ ଗୀତ ଜାଣିଥା’ନ୍ତି । ସମସ୍ତେ ବାଜା ବଜେଇ ଜାଣନ୍ତି, ଗୀତ ବୋଲି ଜାଣନ୍ତି ଓ ନାଚି ବି ଜାଣନ୍ତି । ଅତଏବ ସମସ୍ତେ ଜଣେ ଜଣେ କଲଚରାଲ ଅଲରାଉଣ୍ଡର କହିଲେ ଭୁଲ ହେବନାହିଁ । ଆଦିବାସୀମାନଙ୍କ ଏହି ଗୀତ, ନାଚ, ବାଦ୍ୟ ଆଦିକୁ ସଂରକ୍ଷଣ କରି ରଖିବାର ଆବଶ୍ୟକତା ରହିଛି । ନଚେତ ଆଧୁନିକତାର ପ୍ରବେଶ ସହ ଏହି ପରମ୍ପରା ବି ମରିଯିବାର ଆଶଙ୍କା ରହିଛି ।
ରାମଚଣ୍ଡୀ ପ୍ରସାଦ ରଣସିଂହ, ଗଡ଼ମାଣତୀର, ଖୋରଧା