ଆମ ନିର୍ବାଚନମଣ୍ଡଳୀ : ବୌଦ୍ଧ ବିଧାନସଭା
ଆମ ନିର୍ବାଚନମଣ୍ଡଳୀ : ବୌଦ୍ଧ ବିଧାନସଭା, BOUDH ASSEMBLY CONSTITUENCY
ସାଧାରଣ ନିର୍ବାଚନ ପାଖେଇ ଆସୁଛି । ରାଜନୀତିକ ମାହୋଲକୁ ନେଇ ଜୋରଦାର ଚର୍ଚ୍ଚା ବି ଆରମ୍ଭ ହୋଇଗଲାଣି । ଏହାକୁ ଆଖି ଆଗରେ ରଖି ଆମେ ଆରମ୍ଭ କରିଛୁ ‘ଆମ ନିର୍ବାଚନମଣ୍ଡଳୀ’ । ଏଥିରେ ଓଡ଼ିଶାର ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନ ସଂକ୍ରାନ୍ତୀୟ ତଥ୍ୟର ଅବତାରଣା କରାଯିବ । ଏଥର ଆମେ ବୌଦ୍ଧ ବିଧାନସଭା ନିର୍ବାଚନମଣ୍ଡଳୀ ଉପରେ ଆଲୋକପାତ କରିବା ।
ବୌଦ୍ଧ ବ୍ଲକର ୧୧ ଗ୍ରାମ ପଂଚାୟତ, ହରଭଙ୍ଗା ବ୍ଲକ ଓ ବୌଦ୍ଧଗଡ଼ ଏନଏସିକୁ ନେଇ ବୌଦ୍ଧ ବିଧାନସଭା ନିର୍ବାଚନମଣ୍ଡଳୀ ଗଠିତ ହୋଇଛି । ନିର୍ବାଚନ କମିଶନଙ୍କ ଆଧାରରେ ଏହି ନିର୍ବାଚନମଣ୍ଡଳୀର କ୍ରମିକ ସଂଖ୍ୟା ହେଉଛି ୮୬ । ପ୍ରଥମ ସାଧାରଣ ନିର୍ବାଚନରେ ବୌଦ୍ଧର ପ୍ରଥମ ବିଧାୟକ ହେବାର ସୌଭାଗ୍ୟ ପାଇଥିଲେ ହିମାଂଶୁ ଶେଖର ପାଢ଼ୀ । ବୌଦ୍ଧ ଓ ଫୁଲବାଣୀ ଅଂଚଳରେ ସେ ଥିଲେ ବେଶ ଲୋକପ୍ରିୟ । ଉଭୟ ନିର୍ବାଚନମଣ୍ଡଳୀରୁ ୫ ଥର ଜିଣିଥିବା ହିମାଂଶୁ ରାଜସ୍ୱ ମନ୍ତ୍ରୀ ଓ ଉପବାଚସ୍ପତି ହେବାର ଗୌରବ ଅର୍ଜନ କରିଥିଲେ । ବୌଦ୍ଧରୁ ସେ ୧୯୫୨, ୧୯୬୭ ଓ ୧୯୮୦ରେ ବାଜିମାତ କରିଥିଲେ । ୧୯୮୫ରେ ତାଙ୍କ ପୁଅ ସୁଜିତ କୁମାର ପାଢ଼ୀ ବିଧାୟକ ହେବାର ସୌଭାଗ୍ୟ ପାଇଥିଲେ ।
ସେହିପରି ୧୯୬୧ରେ ସ୍ୱତନ୍ତ୍ର ପାର୍ଟିର ନେତା ଅନିରୁଦ୍ଧ ଦୀପା ବିଧାୟକ ହୋଇଥିଲେ । ୧୯୭୧ରେ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ିଥିଲେ ନଟବର ପ୍ରଧାନ । ନିଜର ଲୋକପ୍ରିୟତା ଓ ସଂଗଠନ ପାଇଁ ସେ ୧୯୭୧, ୧୯୭୪ ଓ ୧୯୭୭ରେ ବି ବିଧାୟକ ହୋଇଥିଲେ । ବୌଦ୍ଧର ପ୍ରଥମ ବିଧାୟକ ଭାବେ ସେ ହାଟ୍ରିକ ବିଜୟ ହାସଲ କରିଥିଲେ । ୧୯୭୦ ଦଶକରେ ମନ୍ତ୍ରୀ ଭାବେ ସେ ବେଶ ସୁନାମ ଅର୍ଜନ କରିଥିଲେ ।
୧୯୯୦ ଦଶକରେ ବୌଦ୍ଧରେ ପତିଆରା ଜାହିର କରିଥିଲେ ସଚ୍ଚିଦାନନ୍ଦ ଦଲାଲ । ଜନତା ଦଳରୁ ସେ ଲଗାତର ଦୁଇଥର ବିଧାୟକ ହୋଇଥିଲେ । ୨୦୦୦ ମସିହା ବେଳକୁ ରାଜ୍ୟ ରାଜନୀତିରେ ବିଜୁ ଜନତା ଦଳର ଦବଦବା ବଢ଼ିବାକୁ ଲାଗିଥିଲା । ସେବେଠାରୁ ବୌଦ୍ଧ ରାଜନୀତି ଭିନ୍ନ ମୋଡ଼ ନେଇଛି । ଏକମାତ୍ର ନେତା ଭାବେ ପ୍ରଦୀପ କୁମାର ଅମାତ ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ ବାଜିମାତ କରି ରେକର୍ଡ କରିଛନ୍ତି । ପ୍ରଦୀପଙ୍କ ପାଇଁ ବୌଦ୍ଧ ଏବେ ବିଜେଡ଼ି ଗଡ଼ରେ ପରିଣତ ହୋଇଛି । ଗତ ଦେଢ଼ ଦଶନ୍ଧି ଧରି ରାଜ୍ୟ ରାଜନୀତିରେ ଅମାତଙ୍କର ପତିଆରା ବଢ଼ିଛି । ବାଚସ୍ପତି, ଅର୍ଥମନ୍ତ୍ରୀ ଭଳି ବହୁ ଗୁରୁ ଦାୟିତ୍ୱ ସେ ସମ୍ଭାଳିଛନ୍ତି । କାଉନସିଲରରୁ ରାଜନୀତିକ କ୍ୟାରିୟର ଆରମ୍ଭ କରିଥିବା ଅମାତ ବୌଦ୍ଧ ଜିଲ୍ଳା ବାର ଆସୋସିଏସନର ସଭାପତି ମଧ୍ୟ ରହିଥିଲେ ।
ରାମଚଣ୍ଡୀ ପ୍ରସାଦ ରଣସିଂହ
ପରିଚାଳନା ସମ୍ପାଦକ
ଓଡିଆ ସ୍ପଟ ନ୍ୟୁଜ
ଜାଗ୍ରତ ଓଡିଶା