ଓଡ଼ିଶାର ଗଣପର୍ବ ରଜ 

Jun 15, 2023 - 03:09
 0  10
ଓଡ଼ିଶାର ଗଣପର୍ବ ରଜ 


ପର୍ବପର୍ବାଣୀ ପ୍ରତ୍ୟେକ ଅଚଂଳର ସାମାଜିକ ଓ ସାଂସ୍କୃତିକ ଜୀବନର ପ୍ରତିନିଧିତ୍ୱ କରନ୍ତି । ସେଥିପାଇଁ ଯୁଗ ସହ ତାଳ ଦେଇ ସମାଜିକ ଚଳଣୀରେ ଅନେକ ପରିବର୍ତ୍ତନ ହୋଇଥିଲେ ମଧ୍ୟ ନିଜ ସାମାଜିକ ଜୀବନକୁ ଏକଦା ପ୍ରତିନିଧିତ୍ୱ କରୁଥିବା ନିଜସ୍ୱ ପର୍ବପର୍ବାଣୀ ଓ ଏହାର ସ୍ୱତନ୍ତ୍ରତାକୁ ବଜାୟ ରଖିବା ପାଇଁ ଆଜିବି ଅନେକ ପ୍ରଚେଷ୍ଟା ଜାରି ରଖିଛନ୍ତି । କୃଷି ପ୍ରଧାନ ରାଜ୍ୟ ଓଡ଼ିଶାରେ ଏହି ଭଳି ଏକ ପର୍ବ ହେଉଛି ରଜ । ସେଥିପାଇଁ ରଜକୁ ଓଡ଼ିଶାର ଗଣପର୍ବ ବୋଲି ମଧ୍ୟ କୁହାଯାଏ । 
ମାଟି ମାଆ ଓ ମାତୃତ୍ୱର ମହତ୍ୱ ସୂଚାଉଥିବା ଏହି ପର୍ବ ଓଡ଼ିଶାର ପୁରପଲ୍ଲୀରେ ବେଶ ଆନନ୍ଦ ଉଲ୍ଲାସରେ ପାଳନ କରାଯାଏ । ଏହି ପର୍ବ ତିନିଦିନ ଧରି ପାଳନ କରାଯାଇଥାଏ  । ପ୍ରଥମ ଦିନକୁ ପହିଲି ରଜ, ଦ୍ୱିତୀୟ ଦିନରେ ରଜ ସଂକ୍ରାନ୍ତି ଓ ତୃତୀୟ ଦିନକୁ ଭୂଇଁ ନଅଣ କହନ୍ତି । ରଜ ସାଧାରଣତଃ ତିନି ଦିନ ଧରି ପାଳନ ହେଉଥିଲେ ମଧ୍ୟ ଏହାର ପ୍ରସ୍ତୁତି ସଜବାଜ ବା ପହିଲି ରଜର ପୂର୍ବ ଦିନରୁ ଆରମ୍ଭ ହୋଇ ବସୁମତୀ ସ୍ନାନରେ ଶେଷ ହୁଏ । ରଜ ସଂକ୍ରାନ୍ତି ଠାରୁ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା ଋତୁ ଆସିଥାଏ । ଏହା ଚାଷର ଆରମ୍ଭକୁ ସୂଚାଇଥାଏ । 
ଆଷାଢ଼ର ପହିଲି ବର୍ଷାରେ ମେଘ ଓ ମାଟିର ମିଳନ ହୁଏ  । ମାଟି ମା'ର ପ୍ରଜନନ ଶକ୍ତି ଜାଗ୍ରତ ହୋଇଥାଏ, ଏହି କାରଣରୁ ଧରଣୀମାତାକୁ ରଜସ୍ୱଳା ସ୍ତ୍ରୀ ସହିତ ତୁଳନା କରାଯାଏ  । ରଜ ଶବ୍ଦର ଅର୍ଥ ହେଉଛି ରଜବତୀ ହେବା, ପୃଥିବୀ ମାତା ବର୍ଷାର ଆଗମନରେ ରଜସ୍ୱଳା ହେବା ନୂତନ ଶସ୍ୟ ଉତ୍ପାଦନ କରିବାର ସାଙ୍କେତିକ ଭାବକୁ ଦର୍ଶାଏ । ଏହି ରଜ ତିନି ଦିନରେ ଚାଷୀମାନେ ବସୁମତୀ ଓ ହଳ-ଲଙ୍ଗଳ ପୂଜା କରନ୍ତି ଓ ଚାଷ କାମ ତିନି ଦିନ ପାଇଁ ସମ୍ପୂର୍ଣ୍ଣ ବନ୍ଦ ରହିଥାଏ । ମାଟି ମା' ହୁଏ ରଜସ୍ୱଳା । ରଜସ୍ୱଳା ନାରୀକୁ ବିଶ୍ରାମ ଆବଶ୍ୟକ ହେଲା ଭଳି ମାଟି ମାଆକୁ ମଧ୍ୟ ବିଶ୍ରାମ ଦିଆଯାଏ । ଭୂମିକୁ କଷ୍ଟ ହେଲାଭଳି କୌଣସି କାର୍ଯ୍ୟ ରଜରେ କରାଯାଏ ନାହିଁ । ମା' ଯେମିତି ପ୍ରଜନନ ପୂର୍ବରୁ ବିଶ୍ରାମ ଆବଶ୍ୟକ କରେ, ସେମିତି ପ୍ରଜନନକ୍ଷମ ହେବାକୁ ଯାଉଥିବା ମାଟି ମା'କୁ ରଜ ତିନିଦିନ ବିଶ୍ରାମ ଦିଆଯାଏ ବୋଲି ବିଶ୍ୱାସ ଅଛି  । 
ପ୍ରତିଟି ଓଡ଼ିଆର ସାମାଜିକ ଜୀବନରେ ମଧ୍ୟ ରଜ ଆନନ୍ଦର ପସରା ଆଣି ଆସେ । କୁମାରୀ ବା ଅବିବାହିତା ଓଡ଼ିଆ ଝିଅମାନଙ୍କ ପାଇଁ ରଜର ସ୍ୱତନ୍ତ୍ରତା ଅଲଗା । ଏହି ତିନିଦିନ ଝିଅମାନେ ନୂଆ ପୋଷାକ ପିନ୍ଧନ୍ତି । ସୂର୍ଯ୍ୟ ଉଇଁବା ଆଗରୁ ସ୍ନାନ ସାରି ସଜବାଜ ହୋଇ ସାଙ୍ଗସାଥୀମାନଙ୍କ ସହିତ ଦୋଳି ଖେଳିବାକୁ ଯାଇଥାନ୍ତି । ରଜରେ ପୋଡପିଠା, ରଜର ପାନ ଭଳି ରଜ ଦୋଳିଗୀତର ମଧ୍ୟ ରହିଛି ସ୍ୱତନ୍ତ୍ରତା । "ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ ଲୋ, ଘେନି ନୂଆ ସଜବାଜ’ ଓଡ଼ିଆ ଜନଜୀବନ ଓ ସାମାଜିକ ଚଳଣୀର ନଚ୍ଛକ ଚିତ୍ରକୁ ବର୍ଣ୍ଣନା କରିଥାଏ । ରଜରେ ଝିଅମାନଙ୍କୁ ଖାଲିପାଦରେ ଭୂଇଁରେ ଚାଲିବା ବାରଣ କରାଯାଏ । କାରଣ ଭୁଊଁ ଉପରେ ଜୁମାରୀ କନ୍ୟାର ପାଦ ମାଟି ମାଆକୁ କଷ୍ଟ ଦିଏ ବୋଲି ବିଶ୍ୱାସ ରହିଛି । ରଜ ତିନିଦିନ ଧରି ରଜସ୍ୱଳା ନାରୀଭାବେ ଧରଣୀମାତାକୁ କଷ୍ଟ ନ ଦେଇ ଭୂମି କର୍ଷଣ ନ କରି ବିଶ୍ରାମ ଦେଲାଭଳି କଟା, ବଟା ଆଦି ଗୃହକର୍ମ ନ କରି କୁମାରୀମାନେ ବିଶ୍ରାମ କରନ୍ତି  । ଧରଣୀ ମାତା ଶସ୍ୟଶ୍ୟାମଳାପୂର୍ଣ୍ଣ ହେବା ପାଇଁ ପ୍ରାଥମିକ ପ୍ରସ୍ତୁତି ଭାବେ ରଜ ତିନିଦିନକୁ ବିଶ୍ରାମର ସମୟ ଭାବରେ ମଜାମଜଲିସ୍‌ରେ କଟାଯାଏ । 
ବସୁମତୀ ସ୍ନାନ ହେଉଛି ରଜ ପର୍ବର ଅନ୍ତିମ ଦିବସ  । ଏହିଦିନ ବଡ଼ି ସକାଳୁଧରଣୀ ମାତାଙ୍କ ସ୍ୱରୂପକୁ ଭାବରେ ଶିଳପୁଆରେ ହଳଦୀ କନା ଗୁଡ଼ାଇ ସିନ୍ଦୂର, କଜଳ ଦେଇ ପିଢ଼ା ଉପରେ ସ୍ଥାପନା କରି କଳସ ଆମ୍ବଡ଼ାଳ ରଖି କ୍ଷୀର ଦେଇ ସ୍ନାନ କରାଯାଏ । ମାସିକ ଧର୍ମର ବିଧି ଅନୁଯାୟୀ ଧରଣୀ ମାତା ତିନିଦିନ ବିଶ୍ରାମ ପରେ ସ୍ନାନ କରି ଶୁଦ୍ଧ ପବିତ୍ର ହୋଇଥାଆନ୍ତି । ବସୁମତୀ ସ୍ନାନ ନସରିବା ପର୍ଯ୍ୟନ୍ତ କୌଣସି ପ୍ରକାର ପୂଜାବିଧି ପାଳନ କରିହେବ ନାହିଁ ବୋଲି ପ୍ରତିଟି ଓଡ଼ିଆ ଘରେ ବିଶ୍ୱାସ ରହିଛି । ବସୁମାତା ରଜସ୍ୱଳା ହୋଇ ଶୁଦ୍ଧସ୍ନାନ ପରେ ସୃଜନ କ୍ଷମତାଶୀଳା ଅର୍ଥାତ ଶସ୍ୟ ବୀଜ ଧାରଣକାରିଣୀ ହୋଇପାରିଥାନ୍ତି  ।