ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ଇତିହାସ 

Odisha Politics, Khurda Politics, Khurda Assembly Constituency

Jun 13, 2023 - 06:02
Jun 13, 2023 - 06:07
 1  29
ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ଇତିହାସ 

ସାଧାରଣ ନିର୍ବାଚନ ପାଖେଇ ଆସୁଛି । ରାଜନୀତିକ ମାହୋଲକୁ ନେଇ ଜୋରଦାର ଚର୍ଚ୍ଚା ବି ଆରମ୍ଭ ହୋଇଗଲାଣି  । ଏହାକୁ ଆଖି ଆଗରେ ରଖି ଆମେ ଆରମ୍ଭ କରୁଛୁ ‘ଆମ ନିର୍ବାଚନମଣ୍ଡଳୀ’  । ଏଥିରେ ଓଡ଼ିଶାର ୧୪୭ ବିଧାନସଭା ଓ ୨୧ ଲୋକସଭା ସଂକ୍ରାନ୍ତରେ ଥିବା ତଥ୍ୟର ଅବତାରଣା କରାଯିବ  । କୌଣସି ଦଳ ବା ନେତାଙ୍କ ସପକ୍ଷରେ ବା ବିପକ୍ଷରେ ଅନୁଶୀଳନ ନୁହେଁ, ନିର୍ବାଚନମଣ୍ଡଳୀର ରାଜନୈତିକ ତଥ୍ୟାବଳୀ ପ୍ରଦାନ ହିଁ ଆମର ଉଦ୍ଦେଶ୍ୟ । ଏଥର ଆମେ ଖୋର୍ଦ୍ଧା ବିଧାନସଭା ନିର୍ବାଚନମଣ୍ଡଳୀ ଉପରେ ଆଲୋଚନା କରିବା  ।


ଟାଙ୍ଗୀ ବ୍ଲକ, ଖୋର୍ଦ୍ଧା ବ୍ଲକର ୧୪ଟି ପଞ୍ଚାୟତ ଓ ଖୋର୍ଦ୍ଧା ପୌର ପରିଷଦକୁ ନେଇ ଗଠିତ ହୋଇଛି ଖୋର୍ଦ୍ଧା ନିର୍ବାଚନମଣ୍ଡଳୀ  । ନିର୍ବାଚନ କମିଶନଙ୍କ ଆଧାରରେ ଏହି ନିର୍ବାଚନମଣ୍ଡଳୀର କ୍ରମିକ ସଂଖ୍ୟା ହେଉଛି ୧୧୭  । ପ୍ରଥମ ସାଧାରଣ ନିର୍ବାଚନରେ କଂଗ୍ରେସ ନେତା ମାଧବ ଚନ୍ଦ୍ର ରାଉତରାୟ ବାଜି ମାରି ପ୍ରଥମ ବିଧାୟକ ହେବାର ସୌଭାଗ୍ୟ ପାଇଥିଲେ  । ଏହାପରେ ଖୋର୍ଦ୍ଧାର ବିଧାୟକ ହୋଇଥିଲେ ବାମପନ୍ଥୀ ନେତା ପ୍ରାଣନାଥ ପଟ୍ଟନାୟକ  । ଖୋର୍ଦ୍ଧାରେ ସେ ବେଶ ପ୍ରଭାବଶାଳୀ ଓ ଲୋକପ୍ରିୟ ମଧ୍ୟ ଥିଲେ  । ୧୯୬୧ରେ କଂଗ୍ରେସ ଟିକେଟରେ ବନମାଳୀ ପଟ୍ଟନାୟକ ବିଧାୟକ ହେବାର ଗୌରବ ଅର୍ଜନ କରିଥିଲେ  । ତେବେ ୧୯୬୭ରେ ଜନକଂଗ୍ରେସ ଖୋର୍ଦ୍ଧାରେ ବାଜିମାତ କରିଥିଲା  । ରାଜା ବୀରକିଶୋର ଦେବ ବିଧାୟକ ହୋଇଥିଲେ  । 


୧୯୫୨ରୁ ୧୯୬୭ ପର୍ଯ୍ୟନ୍ତ ପ୍ରତି ନିର୍ବାଚନରେ ନୂଆ ନୂଆ ବିଧାୟକ ପାଇଥିଲେ ଖୋର୍ଦ୍ଧାବାସୀ । ୧୯୭୧ରେ ଖୋର୍ଦ୍ଧାବାସୀ ବେଣୁଧର ବଳିଆରସିଂହଙ୍କ ମୁଣ୍ଡରେ ବିଧାୟକ ଶିରିପା ବାନ୍ଧିଥିଲେ  । ସେ ପ୍ରଥମେ ଜନକଂଗ୍ରେସରୁ ଜିତିଥିବାବେଳେ ୧୯୭୪ରେ କଂଗ୍ରେସ ଟିକେଟରେ ବିଧାୟକ ହୋଇଥିଲେ  । ୧୯୭୭ରେ ପ୍ରଥମ ଥର ପାଇଁ ଖୋର୍ଦ୍ଧାରେ ଖାତା ଖୋଲିଥିଲା ଜନତା ପାର୍ଟି  । ସୁଦର୍ଶନ ମହାନ୍ତି ବିଧାୟକ ହେବାର ଗୌରବ ଅର୍ଜନ କରିଥିଲେ । ୧୯୮୦ ମସିହାରେ ଖୋର୍ଦ୍ଧା ରାଜନୀତିରେ ଚର୍ଚ୍ଚା ସୃଷ୍ଟି କରିଥିଲେ ପ୍ରସନ୍ନ କୁମାର ପାଟ୍ଟଶାଣୀ । କଂଗ୍ରେସ ଟିକେଟରେ ସେ ପ୍ରଥମ ଥର ବିଧାୟକ ହୋଇଥିଲେ  । ୧୯୮୫ରେ ଜାନକୀ ବଲ୍ଲଭ ପଟ୍ଟନାୟକ ଉଭୟ ଆଠଗଡ଼ ଓ ଖୋର୍ଦ୍ଧାରୁ ଲଢ଼ି ବିଜୟୀ ହୋଇଥିଲେ । ଦୁଇଟି ଆସନରୁ ଜିତିବା ପରେ ଜାନକୀ ଖୋର୍ଦ୍ଧା ଆସନକୁ ଛାଡ଼ିଦେଇଥିଲେ । ଫଳରେ ସେଠାରେ ଉପନିର୍ବାଚନ ହୋଇଥିଲା । ସେତେବେଳେ ଜାନକୀଙ୍କ ଖାସ ଅନୁଗତ ତାଲିକାରେ ଥିଲେ ପ୍ରସନ୍ନ ପାଟ୍ଟଶାଣୀ  । ତେବେ କଂଗ୍ରେସ ପକ୍ଷରୁ ଅର୍ଥନୀତିଜ୍ଞ ବୈଦ୍ୟନାଥ ମିଶ୍ରଙ୍କୁ ଟିକେଟ ମିଳିବାରୁ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ି ବାଜି ମାରିଥିଲେ ପାଟ୍ଟଶାଣୀ  । ଏହାପରେ ପ୍ରସନ୍ନ ଜନତା ଦଳରେ ଯୋଗ ଦେବା ସହ ୧୯୯୦ ଓ ୧୯୯୫ରେ ପୁଣି ଖୋର୍ଦ୍ଧାର ବିଧାୟକ ହୋଇଥିଲେ  । ଖୋର୍ଦ୍ଧା ରାଜନୀତିକ ଇତିହାସରେ ପ୍ରସନ୍ନ ହିଁ ସବୁଠାରୁ ଲୋକପ୍ରିୟ ଓ ସଫଳ ରାଜନେତା ଭାବେ ଉଭା ହୋଇଛନ୍ତି  । 


୧୯୯୮ ମସିହାରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା  । ପ୍ରସନ୍ନ ପାଟ୍ଟଶାଣୀ ବିଜୁ ଜନତା ଦଳ ଟିକେଟରେ ଭୁବନେଶ୍ୱରରୁ ପ୍ରଥମ ଥର ପାଇଁ ସାଂସଦ ହୋଇଥିଲେ  । ଫଳରେ ଖୋର୍ଦ୍ଧାରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା  । ଶିକ୍ଷାବିତ ଦିଲ୍ଳୀପ ଶ୍ରୀଚନ୍ଦନ କଂଗ୍ରେସ ଟିକେଟରେ ବିଜୟ ଲାଭ କରି ବିଧାୟକ ହୋଇଥିଲେ  । ୨୦୦୦ ମସିହାରେ ସ୍ୱାଧୀନ ଭାବେ ବିଜୟ ଲାଭ କରି ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ ଜ୍ୟୋତିରିନ୍ଦ୍ର ନାଥ ମିତ୍ର  । ପରେ ସେ ୨୦୦୪ ଓ ୨୦୧୯ରେ ବିଜେଡ଼ି ଟିକେଟରୁ ବାଜି ମାରିଥିଲେ  । ପ୍ରସନ୍ନଙ୍କ ପରେ ଜିତୁ ମିତ୍ର ହିଁ ଅଧିକ ସଫଳତା ପାଇପାରିଛନ୍ତି । ସେହିପରି ୨୦୦୯ରେ ରାଜେନ୍ଦ୍ର ସାହୁ ସ୍ୱାଧୀନ ବିଧାୟକ ହୋଇଥିବାବେଳେ ୨୦୧୪ରେ ବିଜେଡ଼ି ଟିକେଟରେ ଜିତିଥିଲେ  ।

ରାମଚଣ୍ଡୀ ପ୍ରସାଦ ରଣସିଂହ 
ପରିଚାଳନା ସମ୍ପାଦକ

ଓଡ଼ିଆ ସ୍ପଟ ନ୍ୟୁଜ