ପହଞ୍ଚିବ ଲକ୍ଷ୍ୟ ପଥରେ
କବିତା -୧
ଥିରିଥିରି ପାଦେ ଆଗକୁ ବଢିଲେ
ପହଞ୍ଚିବ ଲକ୍ଷ୍ୟ ପଥରେ
ଅଳସୁଆ ହୋଇ ନୀରବେ ବସିଲେ
କେହି ରହିବେନି ସାଥିରେ ।
ବେଗଗାମୀ ମନ ବାଟରେ ଅଟକେ
ଦୂର ହୋଇ ଯାଏ ବାଟୋଇ ବାଟ
ମିଛ ପ୍ରଶଂସାରେ ବିଭୋର ହୁଅନା
ଖାଇବ ଶେଷରେ ଅଭୁଲା ଛାଟ ।
କବିତା -୨
ବର୍ଷା
ଭିଜା ଭିଜା ବର୍ଷା
ଆନନ୍ଦ ଓ ବିଷାଦରେ ଭରା
ଦେହ ଭିଜେ ମନ ଭିଜେ
ଭିଜଇ ସର୍ବାଙ୍ଗ
ତୁମେ ଗଲା ପରେ
ଏତେ ଦୁଃଖ
ଅଶାନ୍ତିରେ ଖେଳଇ ତରଙ୍ଗ
ଏକ ବର୍ଷ ପରେ
ଆସିଥିଲ ଠିକ୍
ଏହି ଦିବସରେ
ବିରହର ଜ୍ୱାଳା କେତେ
ଭୋଗିଛି ସର୍ବାଙ୍ଗ ।
କବିତା -୩
ସୁନ୍ଦର
ସୁନ୍ଦରରେ ଭରା ଏ ଜଗତ
ସୁଖ,ଦୁଃଖ ଯନ୍ତ୍ରଣାରେ ସୃଷ୍ଟି ଏ ମରତ
କର ସ୍ପର୍ଶେ କଥା କହୁଛି କଦମ୍ବ
କାହାର ତେରଛା ଚାହାଣୀ
ବିଚଳିତ କରେ ତନୁ ମନ
ଯେତେ ଦେଖୁଥିଲେ ନୂତନର ପ୍ରଭା
କମନୀୟ ରୂପକାନ୍ତି
ଫୁଟି ଉଠେ ଯୈ÷ାବନର ଆଭା
ହେ ଈଶ୍ୱର
ତୁମେ ସର୍ବଜ୍ଞାତା
ଅଜଣାର ଅଭିନୟ କରି
ବେଳେ ବେଳେ ସୃଷ୍ଟି କର
ଅଲିଭା ଅନ୍ତର ।
କବିତା -୪
ସାୟାହ୍ନର ଦୃଶ୍ୟ
ସ୍ୱର୍ଣ୍ଣିମ ଆଭାରେ
ଅସ୍ତାଚଳେ ଫେରିଗଲେ
ଦିବସର ପତି
ମୁଁ ଭାବୁଛି
ସକାଳ ଓ ସଂଧ୍ୟାରେ
କେତେ ଯେ ପାର୍ଥକ୍ୟ
ରଙ୍ଗିନ ଦିବସରେ ଫୁଲ
ରାତିରେ ଧବଳ
ଦୁହେ କିନ୍ତୁ ଏକାକାର
ସଂଯୋଗରେ ହସୁଛି ପ୍ରକୃତି ।
କବିତା -୫
କ୍ୟାଲେଣ୍ଡର
କ୍ୟାଲେଣ୍ଡର ଦେଖୁ ଦେଖୁ
ସରିଯାଏ ସ୍ମୃତିର ଦିବସ
ଆଉ ପଦଚିହ୍ନ
କେତେ ଦିନ ରହିବ ମହୀରେ
ପଚାରୁଛି ଜହ୍ନ ।
କବିତା -୬
ଦିବସ
ଦିବସ ଅନ୍ଧାର ଏଠି
ମେଘାଚ୍ଛନ୍ନ ଝଡର ତାଣ୍ଡବ
ହୀନବୀର୍ଯ୍ୟ ତୃତୀୟ ପାଣ୍ଡବ
ଧିମା ତାର ଶକ୍ତି
ରଚିବାକୁ ବିପ୍ଲବ ତାଣ୍ଡବ ।
କବିତା -୭
ଅନ୍ନଦାତା
କାଠ ପଥର ଓ ମାଟିରେ ତିଆରି
ଠାକୁର ପୂଜନ୍ତି ମନ୍ଦିର ଦ୍ୱାରେ
ମାଟିର ମଣିଷ ଅଟେ ଅନ୍ନଦାତା
ଜୀବନ୍ତ ଠାକୁର ଏ ମହୀ ପରେ ।