ମାଆ ଏକ ଅଦ୍ଭୁତ ଅନୁଭୂତି ସଂଜ ସକାଳର

ମାଆ ଏକ ଅଦ୍ଭୁତ ଅନୁଭୂତି ସଂଜ ସକାଳର

Jun 15, 2023 - 02:26
Jun 15, 2023 - 02:46
 0  43
ମାଆ  ଏକ ଅଦ୍ଭୁତ ଅନୁଭୂତି ସଂଜ ସକାଳର

ମାଆ ତପ  ,ତ୍ୟାଗ ,ସମର୍ପଣ  ଓ ବଳିଦାନର  ଜୀବନ୍ତ ପ୍ରତୀକ । ମାଆର ଓଢଣୀ ବାଲ୍ୟକାଳର ପୋଷଣ, ଯୈବନର ସମୃଦ୍ଧି ଓ ଜୀବନରେ ଶୀର୍ଷସ୍ଥାନ ପ୍ରଦାନର ମାର୍ଗ । ମାଆର ସଜଳ ସ୍ପର୍ଶରେ ଜୀବନ ସଦା ପୁଲକିତ , ବିମୋହିତ ଓ ସଜ୍ଜୀବିତ ହୋଇଉଠେ । ମାଆ ବିନା ଜୀବନ ଅନାଥ ହୋଇଯାଏ । ଏଭଳି ସି୍ଥତିରେ ଭାବ ନମ୍ର ହୋଇଯାଏ ଆଉ ଶବ୍ଦ ଲୋତକର ରୂପ ନେଇ ବ୍ୟକ୍ତ ହୋଇଯାଏ । ମନୋବିଜ୍ଞାନ କହେ ମାଆର ପ୍ରଭାବ ସନ୍ତାନର ଚେତନ, ଅବଚେତନ ତଥା ଅଚେତନ  ମନ ଉପରେ ପଡିଥାଏ । ମାଆ ଏକ ଶବ୍ଦ ନୁହେଁ । ଅସଂଖ୍ୟ ଭାବନାର ଭଣ୍ଡାର । ମାଆର ସ୍ନେହିଳ ସ୍ମରଣରେ ହୃଦୟ ପୂରି ଉଠେ । ମନରେ ଅଫୁରନ୍ତ ଭାବନା ଜାଗି ଉଠେ । ଶୁଷ୍କ ମନରେ ରିମିଝିମି ବର୍ଷାର ବାଦଲ ଖେଳିଯାଏ । ମାଆ ସ୍ୱୟଂ ଏକ ଉତ୍ସବ । ମାଆର ଉପସ୍ଥିତି ହିଁ ଉତ୍ସବ । ମାଆ ପାଖରେ ନଥିଲେ ମଧ୍ୟ ମନେ ପଡିଗଲେ ମହୋତ୍ସବ ଭଳି ଲାଗେ । ସମୟର  ଚଲାପଥରେ ଅନେକ ରେଖା ସୃଷ୍ଟି ହୁଏ । ଭଲମନ୍ଦ ଅତୀତର ସ୍ମୃତି ହୋଇଯାଏ । ପରନ୍ତୁ ସମୟ ସାଥିରେ କିଛି ଜୀବନ୍ତ ଏବଂ ଚୈତନ୍ୟ ହୋଇଯାଏ  ତାହା ହିଁ ହୋଇଯାଏ ମାଆର ମମତା ।ମମତାର ଅନ୍ୟ ନାମ ମାଆ । ମମତାର ମୂଲ୍ୟକୁ ପରିଶୋଧ କରିବାକୁ ପଡିବ । ମାଆକୁ ସମ୍ମାନ,ଆଦର  ଏବଂ ପ୍ରତିଷ୍ଠା ଦେଇ କରି ମାତୃ ଋଣର କିଛି ମାତ୍ରାରେ ପରିଶୋଧ କରାଯାଇପାରେ । ମାଆ ଆମକୁ ଦଶ ମାସ ଗର୍ଭରେ ଧାରଣ କରି ନିଜର ରକ୍ତକୁ କ୍ଷୀର କରି ଆମକୁ ପିଇବାକୁ ଦେଇଛି । ବୟସର ଅପରାହ୍ନରେ ଆମେ ମାଆର ଆଶାବାଡି ହୋଇ ସାହାରା ଦେବା ପ୍ରଥମ କର୍ତ୍ତବ୍ୟ । ମାଆ ସବୁଠୁ ବଡ ମାଆ ଠାରୁ ବଡ ଦୁନିଆରେ କିଛି ନାହିଁ ଭଗବାନ ସବୁଠି ରହି ନପାରିବାରୁ ମାଆଙ୍କୁ ସୃଷ୍ଟି କଲେ । ଭାରତୀୟ ମାତୃପ୍ରଧାନ ସଂସ୍କତିରେ ମାଆ ହେବା ଏକ ସମ୍ମାନର ପ୍ରଶ୍ନ । ଆମର କର୍ମକାଣ୍ଡରେ ମାଆ ରୂପରେ ନବଦୂର୍ଗାଙ୍କ ପୂଜନ କରାଯାଏ । ଧନର ଦେବୀ ଲକ୍ଷ୍ମୀ , ବିଦ୍ୟାର ଦେବୀ ମାଆ ସରସ୍ୱତୀଙ୍କର ପୂଜନ କରାଯାଏ । ଓଡିଶାରେ ଛୋଟଛୋଟ ଝିଅମାନଙ୍କୁ  ମାଆ ବୋଲି ଡାକନ୍ତି ଓଡିଆ ପରିବାରରେ ବଡବାବାଙ୍କ ପତ୍ନୀଙ୍କୁ ବଡମାଆ , ଦାଦାଙ୍କ ପତ୍ନୀଙ୍କୁ ସାନବୋଉ/ଟିକି ବୋଉ ବୋଲି ସମ୍ବୋଧନ କରନ୍ତି । ବଡଭାଇଙ୍କ ପତ୍ନୀଙ୍କୁ ନୂଆବୋଉ ବୋଲି ସମ୍ବୋଧନ କରନ୍ତି ।