ଆମ ନିର୍ବାଚନମଣ୍ଡଳୀ : ଚିଲିକା
Chilika Assembly
ବାଣପୁର ବ୍ଲକ, ଚିଲିକା ବ୍ଲକ, ବାଣପୁର ଏନଏସି ଓ ବାଲୁଗାଁ ଏନଏସିକୁ ନେଇ ଚିଲିକା ବିଧାନସଭା ନିର୍ବାଚନମଣ୍ଡଳୀ ଗଠିତ ହୋଇଛି । ନିର୍ବାଚନ କମିଶନଙ୍କ ଆଧାରରେ ଏହି ନିର୍ବାଚନମଣ୍ଡଳୀର କ୍ରମିକ ସଂଖ୍ୟା ହେଉଛି ୧୧୮ । ୧୯୭୪ରେ ପ୍ରଥମ ଥର ପାଇଁ ଚିଲିକାରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । କଂଗ୍ରେସ ନେତା ରଘୁନାଥ ରାୟ ପ୍ରଥମ ବିଧାୟକ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । ୧୯୭୭ରେ ଚିଲିକା ରାଜନୀତିରେ ବିଶ୍ୱଭୂଷଣ ହରିଚନ୍ଦନଙ୍କର ଅଭ୍ୟୁଦୟ ଘଟିଥିଲା । ଛାତ୍ର ସମୟରୁ ସେ ରାଜନୀତି କରି ବେଶ ସଫଳ ହୋଇଛନ୍ତି । ୧୯୭୭ ଓ ୧୯୯୦ରେ ସେ ଚିଲିକାରୁ ପ୍ରତିନିଧିତ୍ୱ କରିଥିବାବେଳେ ୧୯୯୬, ୨୦୦୦ ଓ ୨୦୦୪ରେ ବିଶ୍ୱଭୂଷଣ ଭୁବନେଶ୍ୱରରୁ ବିଧାୟକ ହୋଇଥିଲେ । ନୀଳମଣି ରାଉତରାୟ, ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳରେ ସେ ଗୁରୁ ଦାୟିତ୍ୱ ପାଇଥିଲେ । ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିବା ବିଶ୍ୱଭୂଷଣ ଏବେ ଛତିଶଗଡ଼ର ରାଜ୍ୟପାଳ ଅଛନ୍ତି ।
୧୯୮୦ ଦଶକରେ ଚିଲିକାରେ ଡାକ୍ତର ଦେବେନ୍ଦ୍ର ମାନସିଂହଙ୍କ ରାଜ ଚାଲିଥିଲା । ଛାତ୍ର ରାଜନୀତିରୁ ସେ କ୍ୟାରିୟର ଆରମ୍ଭ କରିଥିବାବେଳେ ବାଣପୁର ବ୍ଳକ ଅଧ୍ୟକ୍ଷ ମଧ୍ୟ ରହିଥିଲେ । ୧୯୮୦, ୧୯୮୫ ଓ ୧୯୯୫ରେ ସେ ବିଜୟୀ ହୋଇଥିଲେ । ଜାନକୀ ପଟ୍ଟନାୟକଙ୍କ ସରକାରରେ ସେ ମନ୍ତ୍ରୀ ମଧ୍ୟ ଥିଲେ । ଖାଲି ରାଜନୀତି ନୁହେଁ ସାହିତ୍ୟ କ୍ଷେତ୍ରରେ ବି ତାଙ୍କର ସୁନାମ ରହିଛି ।
୨୦୦୦ ମସିହାରୁ ଚିଲିକା ରାଜନୀତି ନୂଆ ମୋଡ଼ ନେଇଛି । ସେବେଠାରୁ ଆଉ କଂଗ୍ରେସ ଜିତି ପାରିନାହିଁ । ବିଜେଡ଼ି ଓ ବିଜେପି ମେଂଟ ଯୋଗୁଁ ୨୦୦୦ ଓ ୨୦୦୪ରେ ବିଜେପି ବିଜୟୀ ହୋଇଥିଲା । ଡାକ୍ତର ବିଭୂତି ଭୂଷଣ ହରିଚନ୍ଦନ ବାଜିମାତ କରିଥିଲେ । ଜଣେ ଡାକ୍ତର ଓ ସମାଜସେବୀ ଭାବେ ଚିଲିକାରେ ତାଙ୍କର ବେଶ ସୁନାମ ରହିଛି । ୨୦୧୪ରେ ସେ ତୃତୀୟ ଥର ପାଇଁ ଚିଲିକାରୁ ବିଧାୟକ ହେବାର ସୌଭାଗ୍ୟ ପାଇଥିଲେ ।
୨୦୦୯ରେ ବିଜେଡ଼ି ନେତା ରଘୁନାଥ ସାହୁ ଓ ୨୦୧୯ରେ ପ୍ରଶାନ୍ତ କୁମାର ଜଗଦ୍ଦେବ ଚିଲିକାରୁ ବିଧାୟକ ହୋଇଥିଲେ । ମୋଟାମୋଟି ଭାବେ ଦେଖିଲେ ଡାକ୍ତର ଦେବେନ୍ଦ୍ର ମାନସିଂହ ଓ ଡାକ୍ତର ବିଭୂତି ଭୂଷଣ ହରିଚନ୍ଦନଙ୍କୁ ଚିଲିକା ବାସୀ ତିନି ତିନି ଥର ସୁଯୋଗ ଦେଇଛନ୍ତି । ସେହିପରି ବିଶ୍ୱଭୂଷଣ ଦୁଇଥର ଜିତିଥିବାରୁ ଚିଲିକା ରାଜନୀତିରେ ହରିଚନ୍ଦନ ପରିବାରର ଦବଦବା ଦେଖିବାକୁ ମିଳେ ।
ରାମଚଣ୍ଡୀ ପ୍ରସାଦ ରଣସିଂହ
ପରିଚାଳନା ସମ୍ପାଦକ
ଜାଗ୍ରତ ଓଡ଼ିଶା
ଓଡ଼ିଆ ସ୍ପଟ ନ୍ୟୁଜ