ଇତିହାସ ପୃଷ୍ଠାରେ କପିଳେନ୍ଦ୍ର ଦେବଙ୍କ ରାଜ୍ୟ ଜୟ
KapilendraDeva, Odisha History ଇତିହାସ ପୃଷ୍ଠାରେ କପିଳେନ୍ଦ୍ର ଦେବଙ୍କ ରାଜ୍ୟ ଜୟ
ଗଙ୍ଗବଂଶର ଶେଷରାଜାଙ୍କର ପୁଅ ନଥିଲେ । ସେତେବେଳେ ସେନାପତି ଥାଆନ୍ତି କପିଳେନ୍ଦ୍ର ସାମନ୍ତରାୟ । ବୀର ଓ ରାଷ୍ଟ୍ରନୀତିଜ୍ଞ ହୋଇଥିବାରୁ ରାଜାଙ୍କ ମୃତ୍ୟୁ ପରେ କପିଳେନ୍ଦ୍ର ଦେବଙ୍କୁ ସିଂହାସନରେ ଅଭିଷିକ୍ତ କରାଯାଇଥିଲା । କପିଳେନ୍ଦ୍ର ଦେବ ହେଉଛନ୍ତି ସୂର୍ଯ୍ୟବଂଶର ପ୍ରତିଷ୍ଠାତା । ତେବେ ତାଙ୍କର ରାଜ ସିଂହାସନ ଆରୋହଣକୁ ନେଇ ଏକ କିମ୍ବଦନ୍ତୀ ବି ରହିଛି । ମାଦଳାପାଞ୍ଜି ଅନୁଯାୟୀ, ୧୪୩୫ରେ ସେ ସିଂହାସନ ଆରୋହଣ କରିଥିଲେ । ତାଙ୍କ ନାମରେ କପିଳେନ୍ଦ୍ର ଅବ୍ଦ ମଧ୍ୟ ଚାଲିଆସୁଛି ।
କପିଳେନ୍ଦ୍ର ଦେବ ସିଂହାସନ ଆରୋହଣ ଘଟଣାକୁ ସେତେବେଳେ କେତେକ ସାମନ୍ତ ରାଜା ଗ୍ରହଣ କରିପାରିନଥିଲେ । ସେମାନେ ଜୋରଦାର ବିଦ୍ରୋହ ଆରମ୍ଭ କରିଦେଇଥିଲେ । କିନ୍ତୁ ଯୋଦ୍ଧା କପିଳେନ୍ଦ୍ର ବିଦ୍ରୋହୀଙ୍କୁ ଦୃଢ଼ ହସ୍ତରେ ଦମନ କରିଥିଲେ । ଏଠାରୁ ହିଁ ତାଙ୍କର ବିଜୟ ଯାତ୍ରା ଆରମ୍ଭ ହୋଇଥିଲା । ଦକ୍ଷିଣ ଦିଗକୁ ଯାତ୍ରା କରି ସେ ଛତ୍ରଗଡ଼ରେ ଶିବିର କରିଥିଲେ । ସେଠାରେ ଖେମଣ୍ଡୀ ରାଜାଙ୍କୁ ପରାସ୍ତ କରିବା ପରେ ମହେନ୍ଦ୍ର ପର୍ବତ ଆଡ଼କୁ ଅଗ୍ରସର ହୋଇଥିଲେ । ସମସ୍ତ ବିଦ୍ରୋହୀଙ୍କୁ ଦମନ କରି ସେ ନିଜର ଆଧିପତ୍ୟ ବିସ୍ତାର କରିଥିଲେ । ସେହି ସମୟରେ ବଙ୍ଗ ସୁଲତାନ ନାସିରୁଦ୍ଦିନ ମହମ୍ମଦ ଉତ୍କଳର ଉତ୍ତର ଭାଗକୁ ଦଖଲରେ ରଖିଥିଲେ । ସେମାନଙ୍କୁ ଯୁଦ୍ଧରେ ପରାସ୍ତ କରିବା ପରେ କପିଳେନ୍ଦ୍ର ଦେବ ଦାକ୍ଷିଣାତ୍ୟ ଅଭିଯାନରେ ବାହାରିଥିଲେ । ତେବେ କେଉଁ ମସିହାରେ ସେ ଯୁଦ୍ଧ କରିଥିଲେ ସେନେଇ ଭିନ୍ନଭିନ୍ନ ତଥ୍ୟ ଦେଖିବାକୁ ମିଳେ । କିନ୍ତୁ ସେ ଯାହାହେଉନା କାହିଁକି, ବିଦ୍ରୋହ ଦମନ ସହ ରାଜ୍ୟ ବିସ୍ତାର ପାଇଁ କପିଳେନ୍ଦ୍ର ଦେବ ଚନ୍ଦ୍ରଗିରି, ଉଦୟଗିରି, ବିଜୟନଗର ଆଦି ରାଜ୍ୟ ଦଖଲ କରିଥିଲେ । ଦାକ୍ଷିଣାତ୍ୟରେ ତାଙ୍କର ପ୍ରଭାବ ବଢ଼ିବାରୁ ଅନ୍ୟ ଛୋଟ ଛୋଟ ରାଜ୍ୟମାନେ ଆତ୍ମସମର୍ପଣ କରିଥିଲେ । ସେହିପରି ଦକ୍ଷିଣର ଅନେକ ରାଜ୍ୟ ବାହମନୀ ସୁଲତାନ ହୁମାୟୁନ ସାହଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ହୋଇପଡ଼ିଥିଲେ । ଫଳରେ ଦକ୍ଷିଣର ରାଜ୍ୟଗୁଡ଼ିକ କପିଳେନ୍ଦ୍ରଙ୍କୁ ସହାୟତା କରିବାରୁ ସେ ସୁଲତାନଙ୍କୁ ପରାସ୍ତ କରି ରାଜ୍ୟ ବିସ୍ତାର କରିଥିଲେ । ପରେ ହୁମାୟୁନ ସାହାଙ୍କ ପୁଅ ମହମ୍ମଦ ନିଜାମ କପିଳେନ୍ଦ୍ରଙ୍କ ସହ ସନ୍ଧି କରିବାକୁ ବାଧ୍ୟ ହୋଇଥିଲେ । ପରେପରେ ସେ ତୈଲଙ୍ଗ ରାଜ୍ୟ ଦଖଲ କରିବା ସହ ସେଠାରେ ମଙ୍ଗଳ ରାୟଙ୍କୁ ଅଭିଷିକ୍ତ କରାଇଥିଲେ । ଧିରେଧିରେ ଦକ୍ଷିଣର ଅନେକ ରାଜ୍ୟ କପିଳେନ୍ଦ୍ରଙ୍କର ବଶତା ସ୍ୱୀକାର କରିଥିଲେ । ସେତୁବନ୍ଧ ରାମେଶ୍ୱର ପର୍ଯ୍ୟନ୍ତ ସେ ବିଜୟ ବୈଜୟନ୍ତୀ ଉଡ଼ାଇଥିଲେ । ଯୁଦ୍ଧ ପରେ ଯୁଦ୍ଧ କରି ସେ କ୍ଲାନ୍ତ ହେବା ସହ ବୃଦ୍ଧାବସ୍ଥା ବି ଆସି ଯାଇଥିଲା । ଯୁଦ୍ଧବିଜୟରୁ ନିଜ ରାଜ୍ୟକୁ ଫେରି ଆସିବା ବାଟରେ ୧୪୬୫ ଖ୍ରୀଷ୍ଟାବ୍ଦରେ କୃଷ୍ଣାନଦୀ କୂଳରେ କପିଳେନ୍ଦ୍ରଙ୍କର ମହାପ୍ରୟାଣ ଘଟିଥିଲା ।
କପିଳେନ୍ଦ୍ର ଖାଲିଯେ, ଯୁଦ୍ଧ ଅଭିଯାନରେ ମାତିଥିଲେ ତାହା ନୁହେଁ, ବରଂ ସେ ଶାନ୍ତିପ୍ରିୟ ଦୃଢ଼ ଶାସନ ପ୍ରତିଷ୍ଠା କରିଥିଲେ । ବ୍ରାହ୍ମଣମାନଙ୍କୁ ସେ ଚୌକିଦାରୀ କରରୁ ମୁକ୍ତ କରିଥିଲେ । ଲୁଣ ଓ କଉଡ଼ିରୁ ମଧ୍ୟ କର ଉଠାଇ ଦେଇଥିଲେ । ସେହିପରି ଅନେକ ମନ୍ଦିର ନିର୍ମାଣ କରିବା ସହ ରାଜ୍ୟରେ ଶାନ୍ତି ଓ ସହାବସ୍ଥାନ ପ୍ରତିଷ୍ଠା କରିବାରେ ସଫଳ ହୋଇଥିଲେ । ଓଡ଼ିଶା ଇତିହାସରେ କପିଳେନ୍ଦ୍ର ଦେବଙ୍କ ଶାସନକୁ ସୁବର୍ଣ୍ଣ ଯୁଗ ବୋଲି ମଧ୍ୟ କୁହାଯାଇଥାଏ ।
ରାମଚଣ୍ଡୀ ପ୍ରସାଦ ରଣସିଂହ, ଗଡ଼ମାଣତୀର, ଖୋରଧା