ଆମ ନିର୍ବାଚନମଣ୍ଡଳୀ : ପାଲଲହଡ଼ା ବିଧାନସଭା
ଆମ ନିର୍ବାଚନମଣ୍ଡଳୀ : ପାଲଲହଡ଼ା ବିଧାନସଭା #odisha Politics #pallahara #147assemblyconstituency #odishaassembly
ସାଧାରଣ ନିର୍ବାଚନ ପାଖେଇ ଆସୁଛି । ରାଜନୀତିକ ମାହୋଲକୁ ନେଇ ଜୋରଦାର ଚର୍ଚ୍ଚା ବି ଆରମ୍ଭ ହୋଇଗଲାଣି । ଏହାକୁ ଆଖି ଆଗରେ ରଖି ଆମେ ଆରମ୍ଭ କରିଛୁ ‘ଆମ ନିର୍ବାଚନମଣ୍ଡଳୀ’ । ଏଥିରେ ଓଡ଼ିଶାର ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନ ସଂକ୍ରାନ୍ତୀୟ ତଥ୍ୟର ଅବତାରଣା କରାଯିବ । ଏଥର ଆମେ ଅନୁଗୁଳ ଜିଲ୍ଲାର ପାଲଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଉପରେ ଆଲୋଚନା କରିବା ।
ପାଲଲହଡ଼ା ବ୍ଲକ ଓ କଣିହା ବ୍ଲକର ୧୯ ଗ୍ରାମ ପଂଚାୟତକୁ ନେଇ ଏହି ନିର୍ବାଚନମଣ୍ଡଳୀ ଗଠିତ ହୋଇଛି । ପ୍ରଥମ ସାଧାରଣ ନିର୍ବାଚନ ସମୟରେ ଏହି ନିର୍ବାଚନମଣ୍ଡଳୀର ନାମ ଥିଲା ପାଲଲହଡ଼ା-କାମାକ୍ଷାନଗର । ସାଧାରଣ ବର୍ଗରୁ ମହେଶ ଚନ୍ଦ୍ର ସୁବାହୁସିଂ ଓ ସଂରକ୍ଷିତ ବର୍ଗରୁ ବାଇଧର ନାଏକ ପାଲଲହଡ଼ାରୁ ପ୍ରତିନିଧିତ୍ୱ କରିଥିଲେ । ୧୯୫୭ ନିର୍ବାଚନରେ ଗଣତନ୍ତ୍ର ପରିଷଦର ନେତା ମୃତ୍ୟୁଞ୍ଜୟ ପାଲ ବିଧାୟକ ହୋଇଥିଲେ । ୧୯୬୧ ନିର୍ବାଚନରେ ମଇଦାନକୁ ଓହ୍ଲାଇଥିଲେ ଲୋକପ୍ରିୟ ନେତା ପବିତ୍ର ମୋହନ ପ୍ରଧାନ । ଜନକଂଗ୍ରେସ ଟିକେଟରେ ସେ ୧୯୬୧ ଓ ୧୯୬୭ ନିର୍ବାଚନରେ ବାଜିମାତ କରିଥିଲେ । ଢେଙ୍କାନାଳ ଓ ଅନୁଗୁଳରେ ତାଙ୍କର ବେଶ ପ୍ରଭାବ ରହିଥିଲା । ପାଲଲହଡ଼ା ବ୍ୟତୀତ ଆଠଗଡ଼ ଓ ତାଳଚେର ବିଧାନସଭା ନିର୍ବାଚନମଣ୍ଡଳୀରୁ ସେ ୭ ଥର ବିଜୟ ଲାଭ କରିଛନ୍ତି । ଏହାଛଡ଼ା ସେ ଦେବଗଡ଼ର ସାଂସଦ ମଧ୍ୟ ଥିଲେ ।
୧୯୭୧ ଓ ୧୯୭୪ ନିର୍ବାଚନରେ ଏଠାରୁ ବାଜି ମାରିଥିଲେ ନାରାୟଣ ସାହୁ । ପରେ ସେ ଦେବଗଡ଼ ସାଂସଦ ହେବାର ସୌଭାଗ୍ୟ ପାଇଥିଲେ । ନାରାୟଣଙ୍କ ପରେ ପାଲଲହଡ଼ା ବିଧାୟକ ହୋଇଥିଲେ ଧରଣୀଧର ପ୍ରଧାନ । ସ୍ୱାଧୀନ ଭାବେ ଲଢ଼ିଥିଲେବି ଲୋକମାନେ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲେ ।
୧୯୮୦ ଦଶକରେ ଏଠାରେ ରାଜ କରିଥିଲେ ବିଭୂଧେନ୍ଦ୍ର ପ୍ରତାପ ଦାସ । କଂଗ୍ରେସ ଟିକେଟରେ ସେ ୧୯୮୦ ଓ ୧୯୮୫ରେ ବିଧାୟକ ହୋଇଥିଲେ । ଅନେକ ବର୍ଷ ଧରି ପାଲଲହଡ଼ାରେ କଂଗ୍ରେସ ହିଁ ଜିତି ଆସୁଥିଲା । କିନ୍ତୁ ୧୯୯୦ ନିର୍ବାଚନରେ ଜନତା ଦଳ ନେତା ଡାକ୍ତର ନୃସିଂହ ଚରଣ ସାହୁ ବିଜୟୀ ହୋଇଥିଲେ । ତେବେ ଜନତା ଦଳ ବିଜୟ ଧାରା ରକ୍ଷା କରିବାରେ ବିଫଳ ହୋଇଥିଲା । ୧୯୯୫ରେ କଂଗ୍ରେସ ନେତା ବିଭୂଧେନ୍ଦ୍ର ବାଜିମାତ କରି ତୃତୀୟ ଥର ପାଇଁ ପାଲଲହଡ଼ାରୁ ପ୍ରତିନିଧିତ୍ୱ କରିଥିଲେ ।
୨୦୦୦ ମସିହା ନିର୍ବାଚନ ବେଳକୁ ବିଜେଡ଼ି ଓ ବିଜେପି ମଧ୍ୟରେ ମେଂଟ ଥିଲା । ବିଜେପି ଟିକେଟରେ ନିର୍ବାଚନ ଲଢ଼ି କମ ବୟସରେ ବିଧାୟକ ହୋଇଥିଲେ ଧର୍ମେନ୍ଦ୍ର ପ୍ରଧାନ । ପରେ ସେ ଦେବଗଡ଼ର ସାଂସଦ ବି ହୋଇଥିଲେ । ବିହାର ଓ ମଧ୍ୟପ୍ରଦେଶରୁ ରାଜ୍ୟସଭା ସାଂସଦ ହୋଇଥିବା ଧର୍ମେନ୍ଦ୍ର ଏବେ କେନ୍ଦ୍ରମନ୍ତ୍ରୀ ଅଛନ୍ତି । ୨୦୦୪ରେ କଂଗ୍ରେସରୁ ଲଢ଼ି ନୃସିଂହ ସାହୁ ଦ୍ୱିତୀୟ ଥର ପାଇଁ ପାଲଲହଡ଼ା ବିଧାୟକ ହୋଇଥିଲେ । ୨୦୦୯ରୁ ପାଲଲହଡ଼ାରେ ବିଜେଡ଼ି ରାଜ ଦେଖିବାକୁ ମିଳୁଛି । ୨୦୦୯ରେ ବିଜେଡ଼ି ନେତା ରବି ନାରାୟଣ ପାଣି ବିଧାୟକ ହେବାର ସୌଭାଗ୍ୟ ପାଇଥିଲେ । ୨୦୧୪ରେ ମହେଶ ସାହୁ ବାଜିମାତ କରିଥିବାବେଳେ ୨୦୧୯ରେ ବିଧାୟକ ହୋଇଥିଲେ ମୁକେଶ କୁମାର ପାଲ । ମୋଟାମୋଟି ଭାବେ ଦେଖିଲେ ପାଲଲହଡ଼ାରେ ବିଭୂଧେନ୍ଦ୍ର ସର୍ବାଧିକ ୩ ଥର ବିଧାୟକ ହୋଇପାରିଛନ୍ତି । ଅପରପକ୍ଷରେ ପବିତ୍ର ପ୍ରଧାନ, ନାରାୟଣ ସାହୁ, ନୃସିଂହ ସାହୁ ୨ଥର ବିଧାୟକ ହେବାରେ ସଫଳ ହୋଇଛନ୍ତି । ୨୦୦୦ ମସିହାରୁ ପ୍ରତି ନିର୍ବାଚନରେ ପାଲଲହଡ଼ାବାସୀ ନୂଆ ବିଧାୟକ ଦେଖି ଆସୁଛନ୍ତି ।
ରାମଚଣ୍ଡୀ ପ୍ରସାଦ ରଣସିଂହ
ପରିଚାଳନା ସମ୍ପାଦକ
ଜାଗ୍ରତ ଓଡ଼ିଶା
ଓଡ଼ିଆ ସ୍ପଟ ନ୍ୟୁଜ୍