ଇତିହାସ ପୃଷ୍ଠାରେ ରଥଯାତ୍ରା

ଇତିହାସ ପୃଷ୍ଠାରେ ରଥଯାତ୍ରା #rathayatra #biswajitaray

Jun 21, 2023 - 05:03
 0  11
ଇତିହାସ ପୃଷ୍ଠାରେ ରଥଯାତ୍ରା

କୋଟି ହୃଦୟର ମଉଡ଼ମଣି ପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରା ପାଇଁ ଭକ୍ତମାନେ ଚାତକ ଭଳି ଚାହିଁ ରହିଥା’ନ୍ତି  । ବ୍ରିଟିଶ ଶାସନ ସମୟରେ ବି ପ୍ରଭୁଙ୍କ ରଥଯାତ୍ରାକୁ ନେଇ ବିଦେଶରେ ଚର୍ଚ୍ଚା ହେଉଥିଲା  । ଇତିହାସ ପୃଷ୍ଠାରେ ରଥଯାତ୍ରାର ଅନେକ ନିଆରା ଓ ଅଦ୍ଭୂତ ଘଟଣାବଳୀ ଲିପିବଦ୍ଧ ହୋଇରହିଛି  । 


ଏବେ ଆମେ ତିନୋଟି ରଥରେ ରଥଯାତ୍ରା ହେଉଥିବା ଦେଖୁଛେ  । କିନ୍ତୁ ଦିନ ଥିଲା ରଥଯାତ୍ରା ପାଇଁ ୬ଟି ରଥ ଆବଶ୍ୟକ ହେଉଥିଲା । ଚୋଡ ଗଙ୍ଗଦେବ ରଥ ଦଉଡି ଧରି ଟାଣିବା ପରେ ହାତୀ ଓ ଅନ୍ୟସେବକ ଏବଂ ଭକ୍ତମାନେ ମିଶି ରଥ ଟାଣୁଥିଲେ । ବଳଗଣ୍ଡି ପର୍ଯ୍ୟନ୍ତ ତିନି ରଥ ଯାଉଥିଲା । ମାଳିନୀ ନଦୀ ଆରପଟେ ଥିବା ଇନ୍ଦ୍ରଦ୍ୟୁମ୍ନ ପାଟଣାରେ ତିନି ରଥ ନିର୍ମିତ ହେଉଥିଲା ଏବଂ ଆଡପ ମଣ୍ଡପ ପର୍ଯ୍ୟନ୍ତ ଯାଉଥିଲା । ସିଂହଦ୍ୱାରରୁ ବଳଗଣ୍ଡି ପର୍ଯ୍ୟନ୍ତ ଯାଉଥିବା ରଥଗୁଡିକରେ ସୁନାର ତିନି ବେଂଟିଆ ଧ୍ୱଜ କଳସ ଲାଗିବା ସହିତ କନକମୁଣ୍ଡିରେ ରତ୍ନ ଚାନ୍ଦୁଆ ଟଣା ଯାଉଥିଲା । ବଳଗଣ୍ଡିରେ  ପହଚିଂବା ପରେ ଦୋଳଚାପରେ ନଈ ପାରି ହୋଇ ଆରପଟକୁ ଯାଉଥିଲେ । ୧୨୭୦ ମସିହାରେ ମାଧବାଚାର୍ଯ୍ୟ ଶ୍ରୀକ୍ଷେତ୍ରରେ ଗୋଟିଏ ଯାତ୍ରାରେ ଦୁଇପ୍ରକାର ରଥ ବ୍ୟବହାର ଶାସ୍ତ୍ର ବିରୋଧୀ ବୋଲି ମତ ଦେବାରୁ ଅନଙ୍ଗ ଭୀମ ଦେବଙ୍କ ପୁତ୍ର ପ୍ରଥମ ଭାନୁଦେବ ମାଳିନୀ ନଦୀ ପୋତି ତିନିଟି ରଥ ଟଣାଯିବା ପ୍ରଥା ଆରମ୍ଭ କରିଥିଲେ ।  ଅନ୍ୟ କିଛି ଐତିହାସିକ ଓ ଗବେଷକ ଏହା ଦ୍ୱିତୀୟ ନରସିଂହ ଦେବଙ୍କ ସମୟରେ ହୋଇଥିବା ମତ ବ୍ୟକ୍ତ କରିଥାନ୍ତି । ପୋତା ହୋଇଥିବା ସେହି ମାଳିନୀ ନଦୀ ହେଉଛି ଆଜିର ବଡଦାଣ୍ଡ ।


ରଥଯାତ୍ରା ଓ ମହାପ୍ରଭୁଙ୍କୁ ନେଇ ଲକ୍ଷ ଲକ୍ଷ ଲୋକଙ୍କର ମନରେ ରହିଛି ଅନେକ ବିଶ୍ୱାସ । ୧୮୪୭ ମସିହାରେ ଶ୍ରୀକ୍ଷେତ୍ର ରଥଯାତ୍ରାରେ ଭକ୍ତଙ୍କର ଭାବବିହ୍ୱଳତା, ମହାପ୍ରଭୁଙ୍କ ପ୍ରତି ଆବେଗ, ବିଶ୍ୱାସ ଏବଂ ଆଧ୍ୟାତ୍ମିକ ଭାବନା ବ୍ରିଟିଶ ଦାର୍ଶନିକମାନଙ୍କୁ ପ୍ରଭାବିତ କରିଥିଲା । ଅନେକ ଭକ୍ତ ରଥଚକା ତଳେ ନିଜକୁ ସମର୍ପଣ କରିବାକୁ ଚେଷ୍ଟା କରୁଥିଲେ । ସେହିବର୍ଷ କାଦୁଅ ଯୋଗୁଁ ରଥଚକା ଦବି ଯାଇ ରଥ ଅଟକି ଯାଇଥିଲା । ଠାକୁରଙ୍କୁ ୩ ଦିନ ଲାଗିଥିଲା ଗୁଣ୍ଡିଚା ମନ୍ଦିରରେ ପହଞ୍ଚିବା ପାଇଁ ।


ମହାପ୍ରଭୁଙ୍କ ରଥଚକା ତଳେ ପ୍ରାଣ ଗଲେ ବୈକୁଣ୍ଠ ପ୍ରାପ୍ତି ହୁଏ ବୋଲି ଧାରଣାର ବିହ୍ୱଳିତ ହୋଇ ଅନେକ  ବ୍ୟକ୍ତି ରଥଚକା ତଳେ ଆତ୍ମ ବିସର୍ଜନ କରୁଥିଲେ । ଏଭଳି ରଥଚକା ତଳେ ପ୍ରାଣ ବିସର୍ଜନ କରୁଥିବା ବ୍ୟକ୍ତିଙ୍କର ଶବ ଉପରେ ହଜାର ହଜାର ଲୋକ ଅତି ସମ୍ମାନର ସହିତ ଚାଉଳ ଓ କଉଡି ଫିଙ୍ଗୁଥିଲେ । ୧୯୦୨ ମସିହାରେ ମହାପ୍ରଭୁ ଜଗନ୍ନାଥଙ୍କର ରଥଯାତ୍ରାକୁ ଚାତକ ଭଳି ଅପେକ୍ଷା କରୁଥିବା ଲକ୍ଷଲକ୍ଷ ଭକ୍ତଙ୍କ ଆଶା ମଉଳି ଯାଇଥିଲା । ସେହି ବର୍ଷ ଜୁଲାଇ ମାସ ୫ ତାରିଖରେ ତିଥି ଅନୁସାରେ ରଥଯାତ୍ରା ଅନୁଷ୍ଠିତ ହେବାର ଥିଲେ ମଧ୍ୟ ଅଗଷ୍ଟ ମାସ ୯ ତାରିଖ ପର୍ଯ୍ୟନ୍ତ ରଥଯାତ୍ରା ଅନୁଷ୍ଠିତ ହୋଇପାରିନଥିଲା । ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ଚିତାଲାଗି ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିରରେ ରହିବାକୁ ପଡିଥିଲା । ତେଣୁ ସେହି ବର୍ଷ ଚିତାଲାଗି ବନ୍ଦ ରହିଲା ଓ ଚକ୍ରବୁଲା ଏକାଦଶୀ ପୂର୍ବରୁ ରଥଟଣା କାର୍ଯ୍ୟ ଆରମ୍ଭ ହୋଇ ଅନେକ ସମସ୍ୟା ଏବଂ ବାଧାବିଘ୍ନ ସହିତ ୩-୪ ଦିନରେ ରଥ ଟଣା କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇଥିଲା । ଏହିପରି ଭାବେ ଇତିହାସ ପୃଷ୍ଠାରେ ଘୋଷଯାତ୍ରାକୁ ନେଇ ଅନେକ ନିଆରା ଅଧ୍ୟାୟ ରହିଛି  । 

Biswajita Ray, Gadamanatir, Khurda